ସମ୍ବଲପୁର(ସତ୍ୟପାଠବ୍ୟୁରୋ) : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକସ୍ଥିତ ଏନଏଲସି ଇଣ୍ଡିଆ ଲିମିଟେଡ ଅଧୀନରେ ଥିବା ତଲାବିରା ୨ ଓ ୩ ଓପନ କାଷ୍ଟ ପ୍ରୋଜେକ୍ଟ ଷ୍ଟକୟାର୍ଡରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ନିଆଁରେ କୋଟିକୋଟି ଟଙ୍କାର ମୂଲ୍ୟବାନ କୋଇଲା ଜଳିପୋଡ଼ି ପାଉଁଶ ହୋଇଯାଉଥିବା ବେଳେ ବ୍ୟାପକ ରାଜସ୍ୱ ହାନି ହେବାର ଆଶଙ୍କା ଦେଖାଦେଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଏହି ଅଗ୍ନିକାଣ୍ଡ ଆଜି କି କାଲିର ନୁହେଁ, ବରଂ ଗତ ୧୦ରୁ ୧୫ ଦିନ ହେଲା କୋଇଲା ଖଣିରେ ଏଭଳି ଭାବେ ନିଆଁ ଜଳୁଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରାଯାଇପାରି ନାହିଁ । ଏହି ଘଟଣାକୁ ନେଇ ଏନଏଲସିର ଅଧିକାରୀମାନେ ଦେଇଥିବା ବୟାନ ଏବେ ବିବାଦ ସୃଷ୍ଟି କରିଛି । ସେମାନଙ୍କ କହିବା ଅନୁଯାୟୀ ନିଆଁ ଗତକାଲି ଲାଗିଥିଲା ଏବଂ ଏହାକୁ ସମ୍ପୂର୍ଣ୍ଣ ଭାବେ ଲିଭାଇ ଦିଆଯାଇଛି, କିନ୍ତୁ ଗ୍ରାଉଣ୍ଡ ଜିରୋର ଦୃଶ୍ୟ ସମ୍ପୂର୍ଣ୍ଣ ଭିନ୍ନ କାହାଣୀ କହୁଛି । ଏବେ ବି ଷ୍ଟକୟାର୍ଡରେ ନିଆଁ ଜଳୁଥିବା ବେଳେ ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି ।
ଷ୍ଟକୟାର୍ଡରେ କାର୍ଯ୍ୟରତ ଅପରେଟରମାନେ ମଧ୍ୟ ଅଧିକାରୀଙ୍କ ମିଛକୁ ପଦାରେ ପକାଇ ଦେଇଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଦୀର୍ଘ ଦିନ ହେଲା ଏହି ଅଗ୍ନିକାଣ୍ଡ ଜାରି ରହିଛି, ଯାହା ଏନଏଲସି କର୍ତ୍ତୃପକ୍ଷ କାହିଁକି ଲୁଚାଉଛନ୍ତି ତାହାକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ବିଶେଷ କରି ବର୍ଷା ଋତୁ ସମୟରେ କୋଇଲା ଖଣିରେ ଏଭଳି ଭୟାବହ ନିଆଁ ଲାଗିବା ଘଟଣା ସାଧାରଣ ଲୋକଙ୍କୁ ହଜମ ହେଉନାହିଁ। ଏହା ଏକ ପ୍ରାକୃତିକ ଦୁର୍ଘଟଣା ନା କୋଇଲା ଚୋରିର ପ୍ରମାଣ ନଷ୍ଟ କରିବା ପାଇଁ ଏକ ମନୁଷ୍ୟକୃତ ସାଜିସ, ସେ ନେଇ ଶ୍ରମିକ ସଂଘ ସଭାପତି ବାବୁଲୁ ରାଉତ ଏବଂ ଅନ୍ୟ ଶ୍ରମିକମାନେ ପ୍ରଶ୍ନ କରିଛନ୍ତି। ଷ୍ଟକୟାର୍ଡରେ ଥିବା କୋଇଲା ପରିମାଣ ସହିତ ଡେସପାଚ୍, ଜିପିଏସ୍, ଗେଟ୍ ରେକର୍ଡ ଏବଂ ଇଆରପି ତଥ୍ୟ ମେଳ ଖାଉଛି କି ନାହିଁ ତାହା ଏବେ ଏକ ବଡ଼ ତଦନ୍ତ ସାପେକ୍ଷ ବିଷୟ ପାଲଟିଛି। ଏହି ଘଟଣାରେ ସୁରକ୍ଷା ଓ ଅଗ୍ନି ନିର୍ବାପକ ବ୍ୟବସ୍ଥାରେ ଚରମ ଅବହେଳା ହୋଇଥିବା ଅଭିଯୋଗ ହେଉଛି। ଘଟଣାକୁ ଚାପି ଦେବା ପାଇଁ ଏନଏଲସି ଯେଉଁ ପ୍ରୟାସ କରୁଛି ତାହା ଏକ ବଡ଼ ଦୁର୍ନୀତି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
