ସମ୍ବଲପୁର(ସତ୍ୟପାଠ ବ୍ୟୁରୋ ): ବାଜିଲା ସାଇରନ୍ । ପ୍ରଥମେ ଖୋଲିଲା ହୀରାକୁଦର ୭ ନମ୍ବର ସ୍ଲୁଇସ୍ ଗେଟ୍। ହୀରାକୁଦରୁ ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ। ପରମ୍ପରା ଅନୁସାରେ ପୂଜାପାଠ ପରେ ପ୍ରଥମେ ହୀରାକୁଦ ସ୍ପିଲୱେର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା । ବର୍ତ୍ତମାନ ଜଳଭଣ୍ଡାରରେ ଜଳସ୍ତର ପ୍ରାୟ ୬୧୪.୬୫ ଫୁଟ୍ ରହିଛି । ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆଜି ଆରମ୍ଭ ହୋଇଛି l ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯିବା ପରେ ପୂର୍ବାହ୍ନ ୧୧ଟା ୧୫ ସମୟରେ ଜଳଭଣ୍ଡାରର ୪ଟି ସ୍ଲୁଇସ ଗେଟ୍କୁ ଖୋଲାଯାଇଛି l ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ଅଧିକ ୬ଟି ଗେଟ ଖୋଲାଯାଇଛି। ବର୍ତ୍ତମାନ ସୁଦ୍ଧା ୧୦ଟି ଗେଟରୁ ବନ୍ୟା ଜଳ ନିଷ୍କାସିତ ହେଉଛି। ଅପରପକ୍ଷରେ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ପ୍ରାୟ ୧ ଲକ୍ଷ ୭୪ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି l ତେବେ ଉପର ମୁଣ୍ଡରେ ବର୍ତ୍ତମାନ ବର୍ଷାର ପରିମାଣ କମ ଥିବାରୁ ସେମିତି କୌଣସି ଅସୁବିଧାର ଆଶଙ୍କା ନାହିଁ l ଆଜି ଜିଲ୍ଲାପାଳ ଙ୍କର ଦ୍ୱାରା ନିର୍ଦ୍ଦେଶନାମା ଜାରି ହୋଇଥିଲା ଯେ, ଜଳଭଣ୍ଡାର ପାଖକୁ ଜନସାଧାରଣ ଙ୍କୁ ତଥା ମିଡ଼ିଆ କର୍ମୀ ଙ୍କୁ ମଧ୍ୟ ଅନୁମତି ନଥିଲା l ସେଇ ଅଞ୍ଚଳକୁ ନୋ ଫ୍ଲାଇଙ୍ଗ ଜୋନ ମଧ୍ୟ ଘୋଷଣା କରାଯାଇଥିଲା l ଯଦ୍ୱାରା ବହୁ ଦୂରରୁ ଲୋକମାନେ ଏହି ବିଶେଷ ସମୟକୁ ଉପଭୋଗ କରିବାକୁ ବାଧ୍ୟ ହେଲେ l ବର୍ତ୍ତମାନ ମୁଣ୍ଡଳୀଠାରେ ଜଳସ୍ତର ମଧ୍ୟ ହ୍ରାସ ପାଇଛି। ତେଣୁ ତଳିଆ ଅଞ୍ଚଳରେ ବନ୍ୟା ସୃଷ୍ଟି ହେବାର କୌଣସି ଆଶଙ୍କା ନାହିଁ ବୋଲି ହୀରାକୁଦ ମୁଖ୍ୟ ବନ୍ଧ ତଥା ଅପର ମହାନଦୀ ବେସିନ ମୁଖ୍ୟଯନ୍ତ୍ରୀ ଈଂ. ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି l ସେ କହିଛନ୍ତି, ପରିସ୍ଥିତିକୁ ଦେଖି ଆଉ ଗେଟ ଖୋଲାଯାଇପାରେ। ଏହି ବନ୍ୟା ଜଳ ସମ୍ବଲପୁର ଦେଇ ମୁଣ୍ଡଳୀରେ ପହଞ୍ଚିବା ପାଇଁ ପ୍ରାୟ ୩୬ ଘଣ୍ଟା ସମୟ ଲାଗିବ ଏବଂ ସେତେବେଳକୁ ସେଠାରେ ଜଳସ୍ତର ଯଥେଷ୍ଟ କମି ଯାଇଥିବାରୁ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିବ ବୋଲି ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି l
