ଗର୍ଭପାତ ବଟିକା ଖାଇ ନାବାଳିକା ଗୁରୁତର ଅବସ୍ଥାରେ ଭିମସାରରେ ଭର୍ତ୍ତି: ସମ୍ବଲପୁର

ସତ୍ୟପାଠ 28/12 ସମ୍ବଲପୁର: ସମ୍ବଲପୁରର ବୁର୍ଲା ସହରରେ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ରଖି ଅନ୍ତଃସତ୍ତ୍ୱା କରିବା ଏବଂ ଗର୍ଭପାତ କରାଇବା ପାଇଁ ଔଷଧ ଦେବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଛି । ଅତ୍ୟଧିକ ରକ୍ତଶ୍ରାବ କାରଣରୁ ଗୁରୁତର ନାବାଳିକାଙ୍କୁ ଭିମସାର ସ୍ତ୍ରୀ ଓ ପ୍ରସୂତି ବିଭାଗରରେ ଭର୍ତ୍ତି କରାଯାଇଛି । ବୁର୍ଲା ଥାନାରେ ମାମଲା ରୁଜୁ ପରେ ଯୁବକଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରହିଛି । ସୂଚନାନୁସାରେ ବୁର୍ଲାର ଜଣେ ୧୬ ବର୍ଷିୟା ନାବାଳିକା ସହିତ ୱାନଆର କଲୋନିର ତଥା ଭିମସାର ହସପିଟାଲର ଏକଜିକ୍ୟୁଟିଭ ସୁରକ୍ଷା ସଂସ୍ଥାର କାର୍ଯ୍ୟରତ ସୁରକ୍ଷା କର୍ମୀ ରୋଶନ ସିନ୍ଦ୍ରିଆ (୨୪)ଙ୍କ ପ୍ରେମ ସମ୍ପର୍କ ଥିଲା । ବିବାହ ପ୍ରତିଶ୍ରୁତି ଦେଇ ସେ ସମ୍ପୃକ୍ତ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା । ଇତିମଧ୍ୟରେ ଉକ୍ତ ନାବାଳିକା ଜଣକ ଦୁଇମାସର ଅନ୍ତଃସତ୍ତ୍ୱା ଥିବା ଜାଣି ଗର୍ଭପାତ କରାଇବା ପାଇଁ ନାବାଳିକାଙ୍କୁ ଔଷଧ ଦେଇଥିଲା । ଔଷଧ ଖାଇବା ପରେ ଅତ୍ୟଧିକ ରକ୍ତଶ୍ରାବ ହେବାରୁ ନାବାଳିକାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ତାଙ୍କୁ ବୁର୍ଲା ମେଡ଼ିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଛି । ଘଟଣା ନେଇ ବୁର୍ଲା ଥାନାରେ ଗତକାଲି ମାମଲା ରୁଜୁ ହେବା ପରେ ବୁର୍ଲା ପୁଲିସ ରୋଶନକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ରୋଶନ ଭିମସାର ହସପିଟାଲର କର୍ମଚରୀ ସଂଘ ନେତା ଶିବକୁମାର ସିନ୍ଦ୍ରିଆଙ୍କ ପୁଅ ବୋଲି ଥାନା ସୂତ୍ରରୁ ପ୍ରକାଶ । ବୁର୍ଲା ଥାନା ପକ୍ଷରୁ ଅଧିକାରୀ ଭିମସାର ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ଯାଇ ନାବାଳିକାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହିତ ତଥା ତାଙ୍କ ବୟାନ ନେଇଥିବା ଜଣାପଡ଼ିଛି ।

Related Posts