ଦେବଗଡ଼,(ସତ୍ୟପାଠବ୍ୟୁରୋ): ବର୍ଷା ହେଲେ ବାହ୍ୟଜଗତରୁ ବିଚ୍ଛିନ୍ନ ହେଉଛି ଗାଁ। ଜରୁରୀ ଅବସ୍ଥାରେ ବି ଲୋକେ ବାହାରକୁ ବାହାରି ପାରୁ ନାହାନ୍ତି। ଆମ୍ବୁଲାନ୍ସ ଆସିଲେ ବି ଗାଁ ଭିତରକୁ ଯାଇ ପାରୁନି। ଏଭଳି ଦୁର୍ଦିନରେ ଦିନ ବିତାଉଛନ୍ତି ଦୁର୍ଗମ ଅଞ୍ଚଳବାସୀ। ଦେବଗଡ଼ ଜିଲ୍ଲାରେ‌ ଲଗାଣ ବର୍ଷା ଲାଗି ରହିଥିବାବେଳେ ବାରକୋଟ ବ୍ଲକ କାଳିଆପାଳ ଗ୍ରାମକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ। ନାଳରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଆଗକୁ ଯାଇ ପାରିଲାନି ଆମ୍ବୁଲାନ୍ସ।‌ ଗର୍ଭବତୀ ମହିଳାଙ୍କୁ ବୋହି ନାଳ ପାର କଲେ ଆଶା ଦିଦି ଓ ପରିବାର। କାଳିଆପାଳ ଗାଁ ନିକଟ ଟାଙ୍କୁଜୁରା ନାଳରେ ବନ୍ୟା ପାଣି ପ୍ରବାହିତ ହେବାରୁ ପୋଲ ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି । କାଳିଆ ପାଳ ଗ୍ରାମର ସନ୍ତୋଷ ନାୟକଙ୍କ ସ୍ତ୍ରୀ ପଦ୍ମିନୀ ଶବର ପ୍ରସବ ଯନ୍ତ୍ରଣା ହୋଇଥିଲା l ସନ୍ତୋଷ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ l ଠିକ ସମୟରେ ଆମ୍ବୁଲାନ୍ସ ଆସିଥିଲା ମାତ୍ର ଟାଙ୍କୁଜୁରା ନାଳ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉ ଥିବାରୁ ଆମ୍ବୁଲାନ୍ସ ଅଧାରେ ଅଟକି ଯାଇଥିଲା । ଆଶା ଦିଦି ଓ ପରିବାର ଲୋକେ ବିପଦ ପୂର୍ଣ୍ଣ ଭାବେ ଗର୍ଭବତୀ ମହିଳାଙ୍କୁ ବୋହି ନାଳ ଅତିକ୍ରମ କରାଇଥିଲେ । ଏଭଳି ସମସ୍ୟା ଯୋଗୁଁ ଗର୍ଭବତୀ ମହିଳା ଠିକ ସମୟରେ ଡାକ୍ତରଖାନାରେ ପହଞ୍ଚି ନପାରି ଆମ୍ବୁଲାନ୍ସରେ ନିଆଯାଉଥିବା ବେଳେ ଆମ୍ବୁଲାନ୍ସ ଭିତରେ ସେ ପ୍ରସବ କରି ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ବାରକୋଟ ଡାକ୍ତରଖାନାରେ ପ୍ରସୂତୀ ମହିଳା ଓ ନବଜାତ ଶିଶୁର ଚିକିତ୍ସା ଜାରି ରହିଛି ।