ଗୃହମନ୍ତ୍ରୀଙ୍କ ବରଖାସ୍ତ ଦାବି: ସବୁ ଏସପି ଅଫିସ ଘେରିବ ବିଜେପି, ମମିତାଙ୍କ ପରିବାରକୁ ଭେଟିବ

ଭୁବନେଶ୍ୱର : ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ଆଣି ତାଙ୍କ ବିରୁଦ୍ଧରେ ତଦନ୍ତ ଦାବି କରି ରାଜ୍ୟ ବିଜେପି ଏବେ ନିଜର ଆନ୍ଦୋଳନକୁ ଜୋରଦାର କରିଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ୧୫ଜଣିଆ ଟିମ୍ ଆସନ୍ତାକାଲି ମୃତ ମମିତାଙ୍କ ପରିବାରକୁ ଭେଟିବା ସହ ସରଜମିନ୍ ତଦନ୍ତ କରିବ । ଏପଟେ ଯୁବ ବିଜେପି ୨୬ ଓ ୨୭ତାରିଖ ଦୁଇଦିନ ଧରି ରାଜ୍ୟର ସବୁ ପୁଲିସ ଏସପି ଅଫିସ ଘେରାଉ କରିବ ବୋଲି କହିଥିବାବେଳେ ମହିଳା ବିଜେପି ଆଜି ମୁହଁରେ କଳାପଟି ବାନ୍ଧି ମୌନ ଧାରଣା ଦେଇଥିଲା।

ମମିତା ହତ୍ୟାକାଣ୍ଡର ସତ୍ୟାସତ୍ୟ ସଂପର୍କରେ ଜଣିବା ପାଇଁ ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ୧୫ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରି ଆସନ୍ତା କାଲି ଘଟଣା ସ୍ଥଳକୁ ଯିବା ସହ ମୃତ ମମିତାଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରି ବିସ୍ତୃତ ଆଲୋଚନା କରିବେ । ଏହି ପ୍ରତିନିଧି ଦଳରେ ବରିଷ୍ଠ ନେତା ତଥା ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର, ବରିଷ୍ଠ ଆଇନଜୀବି ପୀତାମ୍ବର ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ସାଂସଦ ସଙ୍ଗୀତା ସିଂହଦେଓ, କେ.ଭି.ସିଂହଦେଓ, ମୁକେଶ ମହାଲିଙ୍ଗ, ଶଂକର ଓରାମ, ନାଉରୀ ନାଏକ, ନିତ୍ୟାନନ୍ଦ ଗଣ୍ଡ, ରବି ନାଏକ, କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ଯତୀନ ମହାନ୍ତି, ଠାକୁର ରଣଜିତ୍ ଦାସ, ପ୍ରଦୀପ ପୁରୋହିତଙ୍କ ସମେତ ବଲାଙ୍ଗୀର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଏବଂ କଳାହାଣ୍ଡି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ପ୍ରମୁଖ ସାମିଲ ରହିବେ ।ଆହୁରି ପଢ଼ନ୍ତୁ

ସେହିପରି ମମିତା ମେହେର୍ ହତ୍ୟାକାଣ୍ଡ ପ୍ରସଙ୍ଗରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇ ଗିରଫ କରିବା ଦାବିରେ ଆସନ୍ତା ୨୬ ଓ ୨୭ ଦୁଇଦିନ ଧରି ଯୁବମୋର୍ଚ୍ଚା ତରଫରୁ ରାଜ୍ୟର ସମସ୍ତ ଜିଲ୍ଲା ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଧାରଣା ପ୍ରଦର୍ଶନ କରାଯିବ ବୋଲି ରାଜ୍ୟ ଯୁବ ବିଜେପି ସଭାପତି ଇରାଶିଷ ଆଚାର୍ଯ୍ୟ କହିଛନ୍ତି ।

ସେହିପରି ମମିତା ମେହେରଙ୍କୁ ନ୍ୟାୟ ଓ ଅଭିଯୁକ୍ତଙ୍କୁ ଦଣ୍ଡ ଦେବା ଦାବିରେ ଗତ କିଛଦିନ ଧରି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ରାଜ୍ୟ ମହିଳା ବିଜେପି ଆଜି ଭୁବନେଶ୍ୱରରେ ମୌନ ଧାରଣା ଦେଇଥିଲା । ‘ଆଇନ ତା ବାଟରେ ଯିବ’ ବୋଲି ବାରମ୍ବାର କହୁଥିବା ମୁଖ୍ୟମନ୍ତ୍ରୀ ପୁଣି ଥରେ ଆଇନ ବାଟରେ ଛିଡ଼ା ହୋଇ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛନ୍ତି । ତେଣୁ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ନିଜ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରି ଗିରଫ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରମତୀ ସ୍ମୃତି ପଟ୍ଟନାୟକ ପୁଣି ଥରେ ଦାବି କରିଛନ୍ତି । ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ରାଜ୍ୟ କଂଗ୍ରେସ ମଧ୍ୟ ବିଭିନ୍ନ ବିକ୍ଷୋଭ କାର୍ଯ୍ୟକ୍ରମ ହାତକୁ ନେଇଛି ।

Related Posts