ଭୁବନେଶ୍ବର, (ସତ୍ୟପାଠ ବ୍ୟୁରୋ): ବ୍ୟାରେଜ୍ ଗେଟ୍ ପରିଚାଳନାରେ ସାଙ୍ଘାତିକ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି। ଯାହା ଆକସ୍ମିକ ବନ୍ୟା ସ୍ଥିତି ସୃଷ୍ଟି କରିଥିବା ମଧ୍ୟ ଅଭିଯୋଗ କରାଯାଇଛି। ବାରମ୍ବାର ବନ୍ୟାକୁ ନେଇ ଏବେ କାଠଗଡ଼ାରେ ବୈତରଣୀ ପାୱାର ପ୍ରୋଜେକ୍ଟସ ପ୍ରାଇଭେଟ୍ ଲିମିଟେଡ୍ । ବନ୍ୟା ସମୟରେ ବେନିୟମ ଭାବେ ବ୍ୟାରେଜ୍ ଗେଟ୍ ଖୋଲିବା ଅଭିଯୋଗରେ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଜଳ ସମ୍ପଦ ବିଭାଗ । ବିଭାଗର ମୁଖ୍ୟଯନ୍ତ୍ରୀ ଏନେଇ ନୋଟିସ୍ ଜାରି କରିଥିବା ଜଣାପଡ଼ିଛି । ସର୍ବାଧିକ ବନ୍ୟା କିମ୍ବା ଆକସ୍ମିକ ବନ୍ୟା ସ୍ଥିତି ସମୟରେ ବିପିପିଏଲ ପକ୍ଷରୁ ବ୍ୟାରେଜ୍ ଗେଟ୍ଗୁଡ଼ିକର ଅନିୟମିତ ପରିଚାଳନା କରାଯାଇଥିବା ନେଇ ଚିଠିରେ ଉଲ୍ଲେଖ ରହିଛି । ଏପରିକି ଗେଟ୍ ପରିଚାଳନାରେ ନିୟମ ଉଲ୍ଲଂଘନ ଯୋଗୁଁ ବୈତରଣୀ ନଦୀର ତଳମୁଣ୍ଡରେ ଅନିୟନ୍ତ୍ରିତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ମଧ୍ୟ ରହିଛି । ଯାହାର ପ୍ରଭାବରେ ତଳମୁଣ୍ଡ ଅଞ୍ଚଳର ଲୋକେ ବନ୍ୟା ଯୋଗୁଁ ହଇରାଣ ହେଉଥିବା ଅଭିଯୋଗ ହେଉଛି। ତେବେ ଏହି ଅଭିଯୋଗ ଉପରେ ବିପିପିଏଲକୁ ନିଜ ପକ୍ଷ ରଖିବାକୁ କୁହାଯାଇଛି । କାହିଁକି ଗେଟ୍ ପରିଚାଳନାରେ ନିୟମ ଉଲ୍ଲଂଘନ ହେଲା ଏବଂ ବନ୍ୟା ସମୟରେ କେଉଁ ପରିସ୍ଥିତିରେ ଗେଟ୍ ଖୋଲାଗଲା ବୋଲି ଜବାବ ମାଗିଛନ୍ତି ସରକାର।
