ଭୁବନେଶ୍ୱର,20/11/2026- ସତ୍ୟପାଠ ( ବ୍ୟୁରୋ )ଖଣି ଲିଜ୍ ମିଳିଛି ବୋଲି କମ୍ପାନୀ ଜମି ଉପରେ ଅଧିକାର ସାବ୍ୟସ୍ତ କରିପାରିବ ନାହିଁ। ଅନୁସୂଚିତ ଅଞ୍ଚଳରେ ଜମି ଅଧିଗ୍ରହଣ ପାଇଁ ଗ୍ରାମସଭାର ପୂର୍ବ ସମ୍ମତି ବାଧ୍ୟତାମୂଳକ। ନଭେମ୍ବର ୧୮ରେ ଏଭଳି ଏକ ଐତିହାସିକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।

ସୁନ୍ଦରଗଡ଼ ଜିଲ୍ଲାର କୁକୁଡ଼ା, ବିହାବନ୍ଧ ଓ ଲାଞ୍ଜିବେର୍ଣ୍ଣାରେ ଡାଲମିଆ ସିମେଣ୍ଟର ଖଣି ପାଇଁ ପ୍ରାୟ ୨୭୩ ହେକ୍ଟର ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସର୍ବୋଚ୍ଚ ନ୍ୟାୟାଳୟ ରଦ୍ଦ କରିଛନ୍ତି। ୨୦୨୪ର ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ମଧ୍ୟ ଖାରଜ କରିଛନ୍ତି।

୨୦୨୦ ଜାନୁଆରୀ ୨୬ରେ ଗ୍ରାମସଭା ଜମି ଅଧିଗ୍ରହଣ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା। ତଥାପି ତତ୍କାଳୀନ ବିଜେଡି ସରକାର ଅଧିଗ୍ରହଣ ପ୍ରକ୍ରିୟାକୁ ଆଗେଇ ନେଇଥିଲେ। ବର୍ତ୍ତମାନର ବିଜେପି ସରକାର ମଧ୍ୟ ସୁପ୍ରିମକୋର୍ଟରେ ସେହି ଅଧିଗ୍ରହଣ ସପକ୍ଷରେ ଯୁକ୍ତି ରଖିଥିଲେ।

ସୁପ୍ରିମକୋର୍ଟ ତିନୋଟି ଗୁରୁତ୍ୱପୂର୍ଣ୍ଣ କଥା ସ୍ପଷ୍ଟ କରିଛନ୍ତି—

  • ଅନୁସୂଚିତ ଅଞ୍ଚଳରେ ଗ୍ରାମସଭାର ପୂର୍ବ ସମ୍ମତି ବାଧ୍ୟତାମୂଳକ।
  • ଘରୋଇ କମ୍ପାନୀ ପାଇଁ ୨୦୧୩ ଆଇନ ଅନୁଯାୟୀ ଜମି ଅଧିଗ୍ରହଣ କରିବାକୁ ଅତି କମ୍‌ରେ ୮୦ ପ୍ରତିଶତ ପ୍ରଭାବିତ ପରିବାରଙ୍କ ପୂର୍ବ ସମ୍ମତି ଆବଶ୍ୟକ।
  • କେବଳ ଖଣି ଲିଜ୍ ଓ କ୍ଷତିପୂରଣ ଆଧାରରେ ଜମି ମାଲିକଙ୍କ ଆଇନଗତ ଅଧିକାରକୁ ଅଣଦେଖା କରାଯାଇପାରିବ ନାହିଁ।

ଏପରିକି ସାମାଜିକ ପ୍ରଭାବ ଆକଳନ କରୁଥିବା ବିଶେଷଜ୍ଞ କମିଟିରେ କମ୍ପାନୀ ସହ ଜଡ଼ିତ ଜଣେ ପରାମର୍ଶଦାତାଙ୍କୁ ସାମିଲ କରାଯିବାକୁ ନେଇ କୋର୍ଟ କଡ଼ା ସମାଲୋଚନା କରିଛନ୍ତି।

ଏବେ ସିଜିମାଳି, କୁଟ୍ରୁମାଳି ସମେତ ଓଡ଼ିଶାର ଅନ୍ୟ ଖଣି ପ୍ରକଳ୍ପରେ ଜମି ଅଧିଗ୍ରହଣର ବୈଧତାକୁ ନେଇ ବଡ଼ ପ୍ରଶ୍ନ ଉଠିବ।

ସରକାର କ’ଣ ସମସ୍ତ ବିବାଦୀୟ ଖଣି ପ୍ରକଳ୍ପର ଗ୍ରାମସଭା ସମ୍ମତି ଓ ଜମି ଅଧିଗ୍ରହଣ ସଂକ୍ରାନ୍ତ ଦସ୍ତାବିଜ ସାର୍ବଜନୀନ କରିବେ?

ଗ୍ରାମସଭା ସରକାରୀ ନିଷ୍ପତ୍ତିରେ ମୋହର ମାରିବାର ମଞ୍ଚ ନୁହେଁ, ଏହା ଆଦିବାସୀଙ୍କ ଆଇନସମ୍ମତ ଅଧିକାରର ମଞ୍ଚ।