ଚନ୍ଦକା: ୪ଟି ଶୀତତାପ ନିୟନ୍ତ୍ରିତ ଜଙ୍ଗଲ ସଫାରି ଯାନର ଶୁଭାରମ୍ଭ

୪ଟି ଶୀତତାପ ନିୟନ୍ତ୍ରିତ ଜଙ୍ଗଲ ସଫାରି ଯାନର ଶୁଭାରମ୍ଭ | ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ଗୋଡ଼ିବାରିଠାରେ ପର୍ଯ୍ୟଟକଙ୍କ ନିମନ୍ତେ ଓ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଯାନର ଶୁଭାରମ୍ଭ ହୋଇଛି। ବୁଧବାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସଫାରି ଯାନକୁ ଲୋକାର୍ପିତ କରି କହିଛନ୍ତି, ଗୋଡ଼ିବାରି, ଭରତପୁର ଏବଂ ଡେରାସକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ବ୍ୟବସ୍ଥା ଅଧିକ ଉପଯୋଗୀ ହେବ।

ପୂର୍ବରୁ ୮ ସିଟ୍‌ ବିଶିଷ୍ଟ ୫ଟି ଏବଂ ୧୨ ସିଟ୍‌ ବିଶିଷ୍ଟ ୪ଟି ଜଙ୍ଗଲ ସଫାରି ଯାନ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଉପଲବ୍ଧ ରହିଛି। ତେବେ ନୂଆ ୪ଟି ସଫାରି ଯାନ ମଧ୍ୟରୁ ୨ଟି ଗୋଡ଼ିବାରିଠାରେ ଓ ଅନ୍ୟ ୨ଟି ଭରତପୁର ସଂରକ୍ଷିତ ଜଙ୍ଗଲରେ ଦର୍ଶକଙ୍କ ପରିଭ୍ରମଣ ପାଇଁ ନିୟୋଜିତ ରହିବ। ଏଥିପାଇଁ ମୋଟ ୬୧ ଲକ୍ଷ ୭୮ ହଜାର ଟଙ୍କା ବ୍ୟୟ କରାଯାଇଛି। ୧୩ ସିଟ୍‌ ବିଶିଷ୍ଟ ଏହି ଯାନଗୁଡ଼ିକରେ ଦର୍ଶକମାନେ ଆରାମଦାୟକ ଭାବେ ବସି ସଫାରି ଭ୍ରମଣ କରିବାର ସୁବିଧା ରହିଛି। ପ୍ରତ୍ୟେକ ଯାନରେ ସ୍ବତନ୍ତ୍ର ପର୍ଯ୍ୟଟକ ଗାଇଡ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏସବୁ ଯାନଗୁଡ଼ିକରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୫ ଜଣ ଯୁବକଙ୍କୁ ଡ୍ରାଇଭର ଏବଂ ପର୍ଯ୍ୟଟକ ଗାଇଡ୍‌ ଭାବେ ନିଯୁକ୍ତି ପ୍ରଦାନ କରାଯାଇ ସେମାନଙ୍କର ଜୀବନଜୀବିକାକୁ ସୁରକ୍ଷିତ କରାଯାଇପାରିଛି। ଅନ୍ୟପକ୍ଷରେ ପର୍ଯ୍ୟଟକଙ୍କ ପାଇଁ ଗୋଡ଼ିବାରିରେ ଥିବା ପ୍ରକୃତି ଶିବିରରେ ରାତ୍ରି ରହଣି, ମଧ୍ୟାହ୍ନ ଭୋଜନ, ଅଭୟାରଣ୍ୟ ସମ୍ପର୍କିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ନିମନ୍ତେ ପ୍ରେକ୍ଷାଳୟ, ବନ୍ୟଜନ୍ତୁ ନିରୀକ୍ଷଣ କେନ୍ଦ୍ର ସହ ନେଚର ଟ୍ରେଲ୍‌ ଓ ସାଇକେଲ ଟ୍ରାକ୍‌ର ବ୍ୟବସ୍ଥା ରହିଛି। ପର୍ଯ୍ୟଟକମାନେ ecotourodisha.comରେ ଲଗ୍‌ଇନ୍‌ କରି ଗୋଡ଼ିବାରି ପ୍ରକୃତି ଶିବିର ପରିଦର୍ଶନ ନିମନ୍ତେ ଆଗୁଆ ସଂରକ୍ଷଣ କରିପାରିବେ ବୋଲି ସୂଚନା ଦିଆଯାଇଛି |

Related Posts