Satyapatha (Bureau),27/11/2026:

ଖଣି ଓଡ଼ିଶାର। ଖଣି ଖନନ ପାଇଁ ଜଙ୍ଗଲ ହରାଉଛି ଓଡ଼ିଶା। ବିସ୍ଥାପିତ ହେଉଛନ୍ତି ଓଡ଼ିଶାର ଆଦିବାସୀ। ପ୍ରଦୂଷଣର ବୋଝ ବି ବୋହୁଛନ୍ତି ଓଡ଼ିଶାବାସୀ। ଅଥଚ ସେହି ଖଣିଜ ସମ୍ପଦରୁ ଅତିରିକ୍ତ ଟିକସ ଆଦାୟ କରିବାର ଅଧିକାର ଉପରେ କେନ୍ଦ୍ର ଲଗାଇଛି କଟକଣା।

ଏହାର ଆର୍ଥିକ ପରିଣାମ କ’ଣ? ଓଡ଼ିଶା କେତେ ରାଜସ୍ୱ ହରାଇବ? ମୋହନ ସରକାରଙ୍କ ପାଖରେ ତା’ର ହିସାବ ଅଛି ତ?

ସମ୍ବିଧାନ ଦିବସରେ କଂଗ୍ରେସ ଅଭିଯୋଗ କରିଛି ଯେ ସଂଶୋଧିତ MMDR ଆଇନ ଯୋଗୁଁ ଓଡ଼ିଶାର ପ୍ରାୟ ୧ ଲକ୍ଷ ୧୦ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ହେବ।

ପୂର୍ବରୁ ବିଜେଡି ମଧ୍ୟ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ବକେୟା ଟିକସ ଓ ବାର୍ଷିକ ୧୨ ହଜାର କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ହରାଇବାର ଆଶଙ୍କା ପ୍ରକାଶ କରିଥିଲା।

କିନ୍ତୁ ସବୁଠାରୁ ଉଦ୍‌ବେଗଜନକ ତଥ୍ୟ ଆସିଥିଲା ଖୋଦ୍ ମୋହନ ସରକାରଙ୍କଠାରୁ।

ଗତ ସେପ୍ଟେମ୍ବର ୨୪ରେ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧାନସଭାରେ ଜଣାଇଥିଲେ ଯେ ସଂଶୋଧିତ ଆଇନର ଧାରା ୯ଡି ଯୋଗୁଁ ଓଡ଼ିଶାର ରାଜସ୍ୱ ଉପରେ କେତେ ପ୍ରଭାବ ପଡ଼ିବ, ତାହାର ପରିମାଣଗତ ଆକଳନ ସରକାର କରିନାହାନ୍ତି।

ଏବେ ଦୁଇ ମାସ ବିତିଗଲାଣି। ସରକାର ହିସାବ କରିଛନ୍ତି କି?

ନୂଆ ଆଇନ ଯୋଗୁଁ ଖଣିଜ ଉତ୍ପାଦନ ବଢ଼ିବ ଏବଂ ଟିକସ ବ୍ୟବସ୍ଥା ସରଳ ହେବ ବୋଲି ଖଣିମନ୍ତ୍ରୀ ଯୁକ୍ତି ରଖିଛନ୍ତି। ଲକ୍ଷ ଲକ୍ଷ କୋଟି ଟଙ୍କାର କ୍ଷତି ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି।

କିନ୍ତୁ କେଉଁ ଆର୍ଥିକ ଆକଳନ ଆଧାରରେ ଏହି ଅଭିଯୋଗକୁ ସରକାର ଖଣ୍ଡନ କରୁଛନ୍ତି?

ଝାଡ଼ଖଣ୍ଡ କ’ଣ କଲା, ଓଡ଼ିଶା କ’ଣ କରୁଛି?

ନଭେମ୍ବର ୨୬ରେ ଝାଡ଼ଖଣ୍ଡ ବିଧାନସଭା ସଂଶୋଧିତ ଖଣି ଆଇନ ପ୍ରତ୍ୟାହାର ଦାବିରେ ପ୍ରସ୍ତାବ ପାରିତ କରିଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବାର୍ଷିକ ୧୩ ହଜାର କୋଟି ଟଙ୍କାର କ୍ଷତି ଆଶଙ୍କା କରିଛନ୍ତି। ସେହି ହିସାବକୁ ଝାଡ଼ଖଣ୍ଡ ବିଜେପି ଚ୍ୟାଲେଞ୍ଜ କରିଛି।

ଅନ୍ତତଃ ସେଠାରେ ରାଜ୍ୟର ଆର୍ଥିକ ସ୍ୱାର୍ଥକୁ ନେଇ ହିସାବ ଓ ବିତର୍କ ହେଉଛି।

ଓଡ଼ିଶାରେ ସରକାରଙ୍କ ନିଜସ୍ୱ ହିସାବ କେଉଁଠି?

୨୦୨୪ରେ ସୁପ୍ରିମକୋର୍ଟଙ୍କ ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଖଣିଜ ଅଧିକାର ଓ ଖଣିଜଯୁକ୍ତ ଜମି ଉପରେ ଟିକସ ଲଗାଇବାରେ ରାଜ୍ୟର ସାମ୍ବିଧାନିକ କ୍ଷମତାକୁ ସ୍ୱୀକୃତି ଦେଇଥିଲେ। ୨୦୨୬ର ସଂଶୋଧିତ MMDR ଆଇନ ସେହି ଟିକସ ଆଦାୟ ଉପରେ କଟକଣା ଲଗାଇଛି।

ସତ୍ୟପାଠର ପାଞ୍ଚଟି ପ୍ରଶ୍ନ:

  • କଂଗ୍ରେସର ୧.୧୦ ଲକ୍ଷ କୋଟି ଟଙ୍କାର ହିସାବ କେଉଁ ଦସ୍ତାବିଜ ଉପରେ ଆଧାରିତ?
  • ମୋହନ ସରକାରଙ୍କ ନିଜସ୍ୱ ରାଜସ୍ୱ କ୍ଷତିର ଆକଳନ କ’ଣ?
  • ସୁପ୍ରିମକୋର୍ଟଙ୍କ ରାୟ ଓ ନୂଆ ଆଇନ ମଧ୍ୟରେ ଥିବା ଦୁଇ ବର୍ଷ ସମୟରେ ବକେୟା ଟିକସ ଆଦାୟ ପାଇଁ ସରକାର କ’ଣ କରିଥିଲେ?
  • ଆଇନ ସଂଶୋଧନ ପୂର୍ବରୁ ଓଡ଼ିଶାର ସ୍ୱାର୍ଥ ସମ୍ପର୍କରେ କେନ୍ଦ୍ରକୁ କୌଣସି ଲିଖିତ ପ୍ରସ୍ତାବ ଦେଇଥିଲେ କି ମୋହନ ସରକାର?
  • ଖଣି ମାଲିକଙ୍କ ଉପରୁ ଟିକସ ଭାର କମିଲେ ଓଡ଼ିଶାବାସୀଙ୍କୁ ତାହାର ପ୍ରତିବଦଳରେ କି ଆର୍ଥିକ ଲାଭ ମିଳିବ?

କେନ୍ଦ୍ର କହୁଛି ରାଜ୍ୟଗୁଡ଼ିକର ଖଣି ରାଜସ୍ୱ କମିବ ନାହିଁ। ଯଦି ସେହି ଦାବି ସତ, ତେବେ ଓଡ଼ିଶା ସରକାର ନିଜର ହିସାବ ସହିତ ତାହା ପ୍ରମାଣିତ କରନ୍ତୁ।

କଂଗ୍ରେସ ହିସାବ ଦେଉ। ବିଜେଡି ପ୍ରମାଣ ରଖୁ। ମୋହନ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ।