ଭୁବନେଶ୍ବର, (ସତ୍ୟପାଠବ୍ୟୁରୋ): କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଜରୁରୀ ସମୟରେ ଆଣ୍ଠଉଛି ୧୦୮ ଆମ୍ବୁଲାନ୍ସ। ବାରମ୍ବାର ଅଧା ରାସ୍ତାରେ ଫସୁଥିବା ଅଭିଯୋଗ ହେଉଛି। ରାଜ୍ୟରେ ରୋଗୀ ପରିବହନ ସେବାର ମେରୁଦଣ୍ଡ ପାଲଟିଥିବା ୧୦୮ ଆମ୍ବୁଲାନ୍ସ ସେବାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ । ଜରୁରୀ ସମୟରେ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଇବା ବଦଳରେ କେଉଁଠି ମଝି ରାସ୍ତାରେ ଆମ୍ବୁଲାନ୍ସ ଅଟକି ଯାଉଛି, ତ ଆଉ କେଉଁଠି ଦୁର୍ଘଟଣାଗ୍ରସ୍ତ ହେଉଛି । ଫଳରେ ଆମ୍ବୁଲାନ୍ସ ସେବାର ବିଶ୍ୱସନୀୟତା ସହ ରୋଗୀଙ୍କ ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି । ରୋଗୀଙ୍କୁ ଠିକ ସମୟରେ ମେଡିକାଲରେ ପହଞ୍ଚାଇବା ଆମ୍ବୁଲାନ୍ସର ଗୁରୁ ଦାୟିତ୍ବ ରହିଛି। ହେଲେ ଅନେକ ସମୟରେ ୧୦୮ ଆମ୍ବୁଲାନ୍ସ ଅଧ ରାସ୍ତା ଅଟକି ଯାଉଥିବାରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ୮୬୦ଟି ୧୦୮ ଆମ୍ବୁଲାନ୍ସ ରହିଛି । କିଛି ମାସ ତଳେ ସରକାରଙ୍କ ପକ୍ଷରୁ ୪୨୦ଟି ନୂଆ ଆମ୍ବୁଲାନ୍ସ ମଧ୍ୟ ଯୋଗାଇ ଦିଆଯାଇଛି । ଏହା ସତ୍ତ୍ୱେ ଆମ୍ବୁଲାନ୍ସ ଦୁର୍ଘଟଣା ଓ ରାସ୍ତାରେ ଅଚଳ ହେବା ଘଟଣା ସାମ୍ନାକୁ ଆସିବା ଚିନ୍ତା ବଢ଼ାଇଛି । ଆହୁରି ୧୧୨ଟି ୧୦୮ ଆମ୍ବୁଲାନ୍ସକୁ ବଦଳାଇବା ନେଇ ମଧ୍ୟ ବିଚାର ଚାଲିଥିବା ଜଣାପଡ଼ିଛି । ଆହୁରି ଚିନ୍ତାଜନକ ହେଉଛି ଦୁର୍ଘଟଣାର ତଥ୍ୟ । ଗତ ଏପ୍ରିଲରୁ ଚଳିତମାସ ପର୍ଯ୍ୟନ୍ତ ୧୨ଟି ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେହିପରି ୬ଟି ୧୦୨ ଜନନୀ ଏକ୍ସପ୍ରେସ୍‌ ମଧ୍ୟ ଦୁର୍ଘଟଣାର ଶିକାର ହୋଇଛି । ଗତ ତିନି ମାସରେ ମୋଟ ୧୮ଟି ଆମ୍ବୁଲାନ୍ସ ଦୁର୍ଘଟଣାର ଶିକାର ହୋଇଥିବା ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଅନ୍ୟପଟେ, ଆମ୍ବୁଲାନ୍ସ ପରିଚାଳନା ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି । ଆରଟିଆଇ ତଥ୍ୟ ଅନୁସାରେ, ୨୦୨୪ ଅକ୍ଟୋବରରୁ ଚଳିତବର୍ଷ ମେ’ ମଧ୍ୟରେ ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବା ପରିଚାଳନା ବାବଦରେ ପ୍ରାୟ ୩୮୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରୁ ୧୦୮ ଆମ୍ବୁଲାନ୍ସ ପାଇଁ ୩୩୧ କୋଟି ଏବଂ ୧୦୨ ଆମ୍ବୁଲାନ୍ସ ପାଇଁ ୫୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ପରିଚାଳନା ଖର୍ଚ୍ଚରେ ଇନ୍ଧନ, କର୍ମଚାରୀଙ୍କ ଦରମା ଓ ଗାଡ଼ିର ରକ୍ଷଣାବେକ୍ଷଣ ଭଳି ଖର୍ଚ୍ଚ ସାମିଲ ରହିଛି। କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ମଧ୍ୟ ଯଦି ଆମ୍ବୁଲାନ୍ସ ମଝି ରାସ୍ତାରେ ଅଟକିଯାଏ କିମ୍ବା ଦୁର୍ଘଟଣାରେ ପଡ଼େ, ତେବେ ଜରୁରୀକାଳୀନ ରୋଗୀ ସେବାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ଆମ୍ବୁଲାନ୍ସର ବିଳମ୍ବ କିମ୍ବା ଅଚଳାବସ୍ଥା ଜଣେ ଗୁରୁତର ରୋଗୀଙ୍କ ପାଇଁ ଜୀବନ-ମୃତ୍ୟୁର ପ୍ରଶ୍ନ ହୋଇପାରେ । ଅବହେଳା କରୁଥିବା ସଦସ୍ୟଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାର ବ୍ୟବସ୍ଥା ଥିବା ମଧ୍ୟ ସଂସ୍ଥା ପକ୍ଷରୁ କୁହାଯାଇଛି । ତେବେ ପ୍ରଶ୍ନ ହେଉଛି- କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ୧୦୮ ଆମ୍ବୁଲାନ୍ସ ସେବାରେ କାହିଁକି ଆସୁନାହିଁ ଆଶାନୁରୂପ ସୁଧାର? ଜରୁରୀ ସମୟରେ ରୋଗୀଙ୍କ ଜୀବନ ସହ ଯେପରି କୌଣସି ଅବହେଳା ନହୁଏ, ସେଥିପାଇଁ ରକ୍ଷଣାବେକ୍ଷଣ ଓ ନିରୀକ୍ଷଣ ବ୍ୟବସ୍ଥା କେତେ ମଜବୁତ- ଏବେ ତାହା ଉପରେ ନଜର ।