ରାଉରକେଲା, (ସତ୍ୟପାଠବ୍ୟୁରୋ) : ରାଉରକେଲାରେ ଏକ ଡ୍ରେନ୍ ଭିତରୁ ସନ୍ଦେହଜନକ ଭାବେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଇଡିସି ଫାଟକ ନିକଟସ୍ଥ ସ’ ମିଲ୍ ଅଞ୍ଚଳରୁ ଏହି ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ, ଘଟଣାଟି ହତ୍ୟା ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ ତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ସୂଚନା ଅନୁସାରେ, ମୃତ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତର ଚିହ୍ନ ରହିଛି। ଏହି ଆଘାତକୁ ଦେଖି ତାଙ୍କୁ କୌଣସି ଧାରୁଆ କିମ୍ବା ଭାରୀ ବସ୍ତୁରେ ଆକ୍ରମଣ କରାଯାଇଥିବା ସନ୍ଦେହ ପ୍ରକାଶ ପାଇଛି। ତେଣୁ ଏହା ଏକ ହତ୍ୟାକାଣ୍ଡ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସନ୍ଦେହ ଆହୁରି ବଢ଼ାଇଛି ମୃତଦେହ ମିଳିଥିବା ସ୍ଥାନ। ହତ୍ୟା ପରେ ମୃତଦେହକୁ ଘଟଣାସ୍ଥଳରୁ ଅନ୍ୟତ୍ର ନେଇ ଡ୍ରେନ୍ ଭିତରେ ଫିଙ୍ଗି ଦିଆଯାଇଥିବା ନେଇ ମଧ୍ୟ ଆଶଙ୍କା କରାଯାଉଛି। ତେବେ ଏହା ପଛରେ କିଏ ରହିଛି ଏବଂ ପ୍ରକୃତରେ କ’ଣ ଘଟିଥିଲା, ତାହା ଏବେ ପୋଲିସ ତଦନ୍ତରୁ ହିଁ ସ୍ପଷ୍ଟ ହେବ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। ଡ୍ରେନ୍ ଭିତରୁ ମୃତଦେହକୁ ଉଦ୍ଧାର କରିବା ସହ ଘଟଣାସ୍ଥଳରେ ଛାନଭିନ୍ ଆରମ୍ଭ କରିଛି। ଯୁବକ କେଉଁଠାରୁ ଆସିଥିଲେ, ତାଙ୍କ ସହ କାହାର ଶତ୍ରୁତା ଥିଲା କି, ଏବଂ ମୃତଦେହକୁ ଡ୍ରେନ୍ ଭିତରେ କିଏ ଓ କାହିଁକି ଫିଙ୍ଗିଥିଲା ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ। ତେବେ ଘଟଣାଟି ହତ୍ୟାକାଣ୍ଡ କି ନୁହେଁ, ତାହା ତଦନ୍ତ ଓ ପୋଷ୍ଟମର୍ଟମ୍ ରିପୋର୍ଟ ପରେ ଅଧିକ ସ୍ପଷ୍ଟ ହେବ। ଏବେ ମୃତକଙ୍କ ପରିଚୟ ଓ ମୃତ୍ୟୁର ପ୍ରକୃତ କାରଣ ଉପରେ ସମସ୍ତଙ୍କ ନଜର।
