ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ତୃତୀୟ ଦିନରେ ପହଁଚିଛି ଅନଲାଇନ ଅଟୋ ସଂଘର ଆନ୍ଦୋଳନ । ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ବିଫଳ ହେବା ପରେ ଲୋୟର ପିଏମଜିରେ ବଡ଼ ଧରଣର ଆନ୍ଦୋଳନ ପାଇଁ ସଜବାଜ ହେଉଛି ସଂଘ । ଅନଲାଇନ ଗାଡ଼ି ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ରାଜଧାନୀରେ ପ୍ରଭାବିତ ହୋଇଛି ଜନଜୀବନ । ୩୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଲା-ଉବେର ସମେତ ୨୦ଟି ଅଟୋ ସଂଗଠନ । ଅଟୋ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ବାହାର ରାଜ୍ୟ କିମ୍ବା ବିଭିନ୍ନ ସ୍ଥାନରୁ ଆସୁଥିବା ବିମାନ ଯାତ୍ରୀମାନେ ଏୟାରପୋର୍ଟରେ ନାହିଁ ନଥିବା ହଇରାଣ ହୋଇଛନ୍ତି । ରେଳ ଷ୍ଟେସନ୍ ଓ ଏୟାରପୋର୍ଟ ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇଁ ଯାନବାହନ ନମିଳିବାରୁ ଗନ୍ତବ୍ୟ ସ୍ଥଳକୁ ଯିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।