ଦ୍ବନ୍ଦରେ କଂଗ୍ରେସ: ଆଜି ଘୋଷଣା କରିପାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ

ଦ୍ବନ୍ଦରେ ପଡିଯାଇଛି କଂଗ୍ରେସ | କିଏ ହେବ ମୁଖ୍ୟମନ୍ତ୍ରୀ ଚେହେରା ସେନେଇ ଆଜି କଂଗ୍ରେସ ପକ୍ଷରୁ ନାଁ ଘୋଷଣା ହୋଇପାରେ | ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଆଜି ଘୋଷଣା କରିପାରେ କଂଗ୍ରେସ । ଆଜି ଅପରାହ୍ନ ୨ଟାରେ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବା ନେଇ ସୂଚନା ମିଳିଛି । ଦଳୀୟ ସର୍ଭେ ଜନତାଙ୍କ ପସନ୍ଦ ଆଧାରରେ ମୁଖ୍ୟମନ୍ତ୍ରୀ ବାଛିବାକୁ ପୂର୍ବରୁ ଘୋଷଣା କରିସାରିଛି ଦଳ । ଏହି ଦୌଡରେ ଚରଣଜିତ ସିଂ ଚନ୍ନି ଓ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁଙ୍କ ନାଁ ରହିଛି ।

ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଚରଣଜିତ ଚନ୍ନିଙ୍କୁ ଦଳୀୟ ସର୍ଭେରେ ସର୍ବାଧିକ ଅଙ୍କ ମିଳିଛି । ଅର୍ଥାତ୍ ସିଦ୍ଧୁ ପୁଣି ମୁଖ୍ୟମନ୍ତ୍ରୀ ଦୌଡରେ ପଛରେ ପଡିଯାଇଛନ୍ତି । ପଞ୍ଜାବରେ ଫେବୃୟାରି ୨୦ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ରାଜନୈତିକ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେଉଛି । ଏପଟେ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ଚେହେରା ଚୟନକୁ ନେଇ ଘମାଘୋଟ ବୟାନବାଜି ଚାଲିଛି ।

ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣାର ଦିନକ ପୂର୍ବରୁ ଅମୃତସରରେ ସାମ୍ବାଦିକ ସମ୍ମିଳନୀ କରି ନବଜ୍ୟୋତ ସିଂ ସିନ୍ଧୁ କହିଛନ୍ତି ପ୍ରଥମେ ୬୦ ବିଧାୟକଙ୍କୁ ଜିତାନ୍ତୁ, ତାପରେ ମୁଖ୍ୟମନ୍ତ୍ରୀ ଚେହେରା ବିଷୟରେ କଥା କୁହନ୍ତୁ । ହେଲେ ଏଠାରେ ବିଧାୟକଙ୍କ ବିଜୟ ବିଷୟରେ କେହି କିଛି କହୁନାହାନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି ସିଦ୍ଧୁ । ଦୀର୍ଘ ଦିନ ହେଲା ପଞ୍ଜାବ ମୁଖ୍ୟମନ୍ତ୍ରୀକୁ ନେଇ ଛକାପଞ୍ଝା ଚାଲିଛି । ତେଣୁ ରାହୁଲ ଗାନ୍ଧୀ ଜାନୁୟାରୀ ୨୭ ତାରିଖରେ ପଞ୍ଜାବ ଗସ୍ତ ସମୟରେ ପଂଜାବ କଂଗ୍ରେସ ପାଇଁ ଶୀଘ୍ର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରାଯିବ ବୋଲି କହିଥିଲେ ।

Related Posts