ବଲାଙ୍ଗୀର, (ସତ୍ୟପାଠବ୍ୟୁରୋ): ପଶ୍ଚିମ ଓଡ଼ିଶାର ପ୍ରମୁଖ ଗଣପର୍ବ ନୂଆଁଖାଇ ନେଇ ସବୁଠି ଉତ୍ସବ ମୁଖର। କିଏ କେଉଁଠାରେ ଥିଲେ ବି ନୂଆଁଖାଇରେ ଘରକୁ ଆସିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି। ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ ଏବେ ଘରମୁହାଁ ହେଲେଣି। ଆଉ କିଛି ଦିନ ପରେ ନୂଆଖାଇ ପର୍ବ ଥିବାବେଳେ ନିଜ ଭିଟାମାଟିରେ ପରିବାର ସହ ପାଳିବା ପାଇଁ ଘରକୁ ଆସୁଛନ୍ତି ସମସ୍ତେ। ଘରେ ଘରେ ଏବେଠୁ ଆରମ୍ଭ ହୋଇ ଗଲାଣି ଉତ୍ସବର ମାହୋଲ। ଘର ଲିପା ପୋଛା, ନୂଆ ଲୁଗା କିଣାରେ ସମସ୍ତେ ବ୍ୟସ୍ତ। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦାଦନ ଗଡ଼ ଭାବରେ ବେଶ ପରିଚିତ। ଏଠାରେ କାମ ଧନ୍ଦା ମିଳୁନଥିବା କାରଣରୁ ବ୍ଲକ ଅଞ୍ଚଳର ୨୧ଟି ପଞ୍ଚାୟତରୁ ଯୁବକ ଯୁବତୀ ଓ ପରିବାର ସଦସ୍ୟମାନେ ରାଜ୍ୟ ବାହାରକୁ ଯାଇ ବିଭିନ୍ନ ଇଟା ଭାଟି, ସୂତା କଳ, ସାର୍ଟ କମ୍ପାନି, ବିସ୍କୁଟ କମ୍ପାନି, ବ୍ୟାଟେରି କମ୍ପାନି, ମାର୍ବଲ କମ୍ପାନି ଓ ବିଭିନ୍ନ କମ୍ପାନି ସହ ଅନୁଷ୍ଠାନ ମାନଙ୍କରେ କାମ କରି ରୋଜଗାର କ୍ଷମ ହୋଇଥାନ୍ତି। ତେଣୁ ସେମାନେ ବର୍ଷ ତମାମ କାମ ପାଇଁ ସେଠାରେ ରହିଥାନ୍ତି। ପଶ୍ଚିମ ଓଡ଼ିଶାର ବଡ଼ ପର୍ବ ନୂଆଁଖାଇ ହୋଇଥିବା ବେଳେ ଏବେ ରାଜ୍ୟ ବାହାରେ ରହୁଥିବା ଯୁବକ, ଯୁବତୀ ଓ ପରିବାର ସଦସ୍ୟ ମାନେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି। ନିଜ ପରିବାର ଲୋକେ ଘରର ସଦସ୍ୟ ଙ୍କ ସହ ମିଶି ଆନନ୍ଦ ର ମାହୋଲ ତିଆରି ହେଉଥିବା ଜଣାପଡ଼ିଛି।