ନୂଆଦିଲ୍ଲୀ, (ସତ୍ୟପାଠ ବ୍ୟୁରୋ): ନିମିଷକ ମଧ୍ୟରେ ସବୁକିଛି ନଷ୍ଟ ହୋଇ ମାଟିରେ ମିଶି ଯାଇଛି । ଭୟଙ୍କର ଜଳ ପ୍ରଳୟ ପରେ ଏବେ ସମଗ୍ର ନେପାଳରେ ଶ୍ମଶାନର ନୀରବତା ଛାଇଯାଇଛି । ସହର, ଗାଁ, ରାସ୍ତାଘାଟ ସବୁକିଛି ପଙ୍କକାଦୁଅର ବହଳ ଆସ୍ତରଣ ତଳେ ପୋତି ହୋଇଯାଇଛି । ଶହ ଶହ ବହୁତଳ କୋଠା ଓ ଯାନବାହନ ଭୂମିସାତ୍ ହୋଇଥିବା ବେଳେ ଲୋକମାନେ ନିଜ ସମ୍ପର୍କୀୟ ଓ ଘରଦ୍ୱାରକୁ ଖୋଜୁଛନ୍ତି । ନେପାଳରେ ସୃଷ୍ଟି ହୋଇଥିବା ଅଦ୍ଭୁତପୂର୍ବ ଜଳପ୍ରଳୟ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି । ପର୍ବତ ଉପରୁ ଭୀମଗର୍ଜନ କରି ମାଡ଼ିଆସିଥିବା ବିନାଶକାରୀ ବନ୍ୟାଜଳରେ ଏପର୍ଯ୍ୟନ୍ତ ପ୍ରାୟ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି । ଏହି ମହାବିପର୍ଯ୍ୟୟରେ ୧୫୦୦ରୁ ଊର୍ଦ୍ଧ୍ୱ ଲୋକ ନିଖୋଜ ଥିବା ବେଳେ ସେମାନଙ୍କ ମଧ୍ୟରେ ୨୮୮ ଜଣ ଭାରତୀୟ ରହିଛନ୍ତି । ବୈଦେଶିକ ମନ୍ତ୍ରାଳୟର ସୂଚନା ମୁତାବକ, ନିଖୋଜ ଭାରତୀୟଙ୍କ ମଧ୍ୟରେ ତାମିଲନାଡୁର ୪୯, କେରଳର ୩୩ ଓ ପଶ୍ଚିମବଙ୍ଗର ୩୨ ଜଣ ପର୍ଯ୍ୟଟକ ରହିଛନ୍ତି । ଏହାସହ ମାନସରୋବର ଯାତ୍ରାରେ ଯାଇଥିବା ପ୍ରାୟ ୨୦୦ ଶ୍ରଦ୍ଧାଳୁ ଫସି ରହିଥିବା ବେଳେ ୨୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।
ନୁୱାକୋଟ, ରସୁୱା, ଗୋରଖା, ଚିତବନ, ନୱଲପରାସି ଓ ଧାଦିଙ୍ଗ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୧୯ଟି ଗୁରୁତ୍ୱପୂର୍ଣ୍ଣ ସେତୁ ଏବଂ ୪୦ କିଲୋମିଟର ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇଥିବା ବେଳେ ୧୩ଟି ଜଳବିଦ୍ୟୁତ ପ୍ରକଳ୍ପ ଗୁରୁତର ଭାବେ ପ୍ରଭାବିତ ହୋଇଛି । ନେପାଳ ସେନା, ପୁଲିସ ଓ ସଶସ୍ତ୍ର ବାହିନୀ ହେଲିକପ୍ଟର ଯୋଗେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଚୀନ-ନେପାଳ ସୀମାନ୍ତରେ ଘଟିଥିବା ପ୍ରଳୟଙ୍କରୀ ହିମସ୍ଖଳନ ଏହି ବିନାଶର ମୁଖ୍ୟ କାରଣ ପାଲଟିଛି । ହିମସ୍ଖଳନ ଯୋଗୁଁ ନଦୀର ଗତିପଥ ଅବରୋଧ ହୋଇ ଏକ ବିଶାଳ କୃତ୍ରିମ ହ୍ରଦ ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ସମୟରେ ଜଳଚାପ ଅତ୍ୟଧିକ ବୃଦ୍ଧି ପାଇବାରୁ ଏହି ହିମବାହ ବନ୍ଧ ଅଚାନକ ଫାଟିଯାଇଥିଲା । ଫଳରେ ଲେହନ୍ଦେ ଓ ଭୋଟେକୋଶି ନଦୀରେ ପ୍ରଚଣ୍ଡ ବେଗରେ ସୁନାମି ଭଳି ବନ୍ୟାଜଳ ମାଡ଼ିଆସି ତଳିଆ ଅଞ୍ଚଳକୁ ମିନିଟ୍ କେଇଟା ମଧ୍ୟରେ ଧ୍ୱଂସସ୍ତୂପରେ ପରିଣତ କରିଦେଇଥିଲା ।
ସଙ୍କଟଜନକ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ‘ପଡ଼ୋଶୀ ପ୍ରଥମ’ ନୀତି ଅନୁଯାୟୀ ତୁରନ୍ତ ସହାୟତାର ହାତ ବଢ଼ାଇଛି । ଭାରତୀୟ ବାୟୁସେନା ବିମାନ ଯୋଗେ ପ୍ରାୟ ୫୦ ଟନ୍ ରିଲିଫ ସାମଗ୍ରୀ ଓ ଜରୁରୀ ଔଷଧ ନେପାଳ ପଠାଯାଇଛି । ନିଖୋଜ ଭାରତୀୟଙ୍କ ସହାୟତା ପାଇଁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଭାରତୀୟ ବୈଦେଶିକ ସଚିବ ନେପାଳ ଓ ଚୀନରେ ଥିବା ଭାରତୀୟ ରାଷ୍ଟ୍ରଦୂତମାନଙ୍କ ସହ ସମୀକ୍ଷା ବୈଠକ କରି ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ।
