କାଠମାଣ୍ଡୁ (ସତ୍ୟପାଠବ୍ୟୁରୋ): ନେପାଳରେ ଗତ ଅଗଷ୍ଟ ୨୬ ତାରିଖରେ ଆସିଥିବା ଭୟଙ୍କର ବନ୍ୟା ପରେ ସୁନା, ରୁପା, ନଗଦ ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ପାଇଥିବା ଲୋକଙ୍କୁ ପୁଲିସ ଚେତାବନୀ ଦେଇଛି। ଏହି ସବୁ ସାମଗ୍ରୀକୁ ନିଜ ପାଖରେ ନରଖି, ନ ବିକି କିମ୍ବା ଅନ୍ୟକୁ ନବାଣ୍ଟି ତୁରନ୍ତ ନିକଟସ୍ଥ ପୁଲିସ ଷ୍ଟେସନରେ ଜମା କରିବାକୁ କୁହାଯାଇଛି। ପୁଲିସ ସ୍ପଷ୍ଟ କରିଛି ଯେ, ଏଭଳି ସମ୍ପତ୍ତି ବା ଗୁରୁତ୍ୱପୂର୍ଣ୍ଣ ଦଲିଲ ଲୁଚାଇ ରଖିବା ଏକ ଅପରାଧ ଏବଂ ଏଥିପାଇଁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।
ଏହି ସତର୍କ ସୂଚନା ଏକ ନିର୍ଦ୍ଦିଷ୍ଟ ଘଟଣା ପରେ ଜାରି କରାଯାଇଛି, ଯେଉଁଠାରେ ଧାଡିଙ୍ଗ ଜିଲ୍ଲାରେ ବନ୍ୟାରେ ଭାସି ଆସିଥିବା ଏକ ବ୍ୟାଙ୍କ ତିଜୋରି ଭାଙ୍ଗି ଟଙ୍କା ଚୋରି କରିବା ଅଭିଯୋଗରେ ୨୯ ଜଣଙ୍କୁ ଗିରଫ କରାଯାଇଛି। ସୋସିଆଲ ମିଡିଆରେ ମଧ୍ୟ କିଛି ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଲୋକେ ମୃତଦେହରୁ ସୁନା ଚୋରି କରୁଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ ଯେ, ନେପାଳତିବ୍ବତ ସୀମାରେ ହିମସ୍ଖଳନ ଯୋଗୁଁ ଆସିଥିବା ଏହି ଆକସ୍ମିକ ବନ୍ୟାରେ ୧,୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୫,୦୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏଥିରେ ପ୍ରାୟ ୨.୫୬ ବିଲିୟନ ଡଲାରର ସମ୍ପତ୍ତି ନଷ୍ଟ ହୋଇଛି। ଏହି ସଙ୍କଟ ସମୟରେ ନେପାଳ ସରକାର ସହାୟତା ପାଇଁ ନିବେଦନ କରିଛନ୍ତି।