ବାରିପଦା, (ସତ୍ୟପାଠବ୍ୟୁରୋ) : ଫୁଟବଲ ଖେଳିଲା ହାତୀ। ଏହି ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଅଞ୍ଚଳରେ। କିଛି ସମୟ ପାଇଁ ଯେମିତି ଲାଗୁଥିଲା ସର୍କସରେ ହାତୀ ଖେଳୁଛି। ଅମରପଦା ପଞ୍ଚାୟତ ବାଉଶୁଳିରେ ପିଲାମାନେ ଖେଳୁଥିବାବେଳେ ହଠାତ ପଡିଆ ଭିତରକୁ ପଶିଥିଲା ହାତୀ । ଫଳରେ କିଛି ସମୟ ଧରି ହାତୀଟି ଫୁଟବଲ ଖେଳିଥିଲା । ଅମରପଦା ଅଞ୍ଚଳରେ ଥମୁନି ହାତୀ ଉପଦ୍ରବ । ରାତିରେ ଚାଷଜମିରେ ପଶି ଫସଲ ନଷ୍ଟ କରିବା ସହ ବ୍ୟାପକ କ୍ଷୟକ୍ଷତି କରିଥିବା ଜଣାପଡ଼ିଛି। ଗତକାଲି ହାତୀଟି ଏକ ଟ୍ରାକ୍ଟରକୁ ଆଣି ଭାଙ୍ଗିଥିଲା। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ତେବେ ଏହାରି ମଧ୍ୟରେ ହାତୀର ଏକ ଅଜବ କାରନାମା ସାମ୍ନାକୁ ଆସିଛି । ଅମରପଦା ପଞ୍ଚାୟତ ଅନ୍ତର୍ଗତ ବାଉଶୁଳି ଅଞ୍ଚଳରେ ପିଲାମାନେ ଫୁଟବଲ ଖେଳୁଥିବା ସମୟରେ ହଠାତ୍ ପଡ଼ିଆ ଭିତରକୁ ପଶି ଆସିଥିଲା ଏକ ହାତୀ । ହାତୀକୁ ଦେଖି ପିଲାମାନେ ଭୟରେ ଦୌଡ଼ି ପଡ଼ିଆ ଛାଡ଼ିଥିଲେ । ପରେ ହାତୀଟି ପଡ଼ିଆରେ ଥିବା ଫୁଟବଲ ନିକଟକୁ ଯାଇଥିଲା । କିଛି ସମୟ ଧରି ହାତୀଟି ଶୁଣ୍ଢରେ ବଲ୍‌କୁ ଠେଲିବା ସହ ଏପଟ ସେପଟ କରିଥିଲା । ଫଳରେ ହାତୀଟି ଫୁଟବଲ ଖେଳୁଥିବା ଦୃଶ୍ୟ ସେଠାରେ ଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।