ଲକ୍ଷ୍ନୌ,(ସତ୍ୟପାଠବ୍ୟୁରୋ) : ସ୍ବଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଭାରତକୁ ବଡ଼ ସଫଳତା ମିଳିଛି । ପ୍ରଥମ ଥର ପାଇଁ ୧୦୦% ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏକେ-୨୦୩ ରାଇଫଲର ସଫଳ ପରୀକ୍ଷଣ ହୋଇଛି । ଉତ୍ତର ପ୍ରଦେଶ ଆମେଥି କୋରୱା କାରଖାନାରେ ଏକେ-୨୦୩ ରାଇଫଲର ସଫଳ ପରୀକ୍ଷଣ କରାଯାଇଛି । ଏହି ରାଇଫଲ୍ ନିର୍ମାଣ ପାଇଁ କୌଣସି ବିଦେଶୀ ସାମଗ୍ରୀ ଉପରେ ନିର୍ଭର କରାଯାଇ ନାହିଁ । ଇଣ୍ଡୋ-ରୁଷିଆନ୍ ରାଇଫଲ୍ସ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ସମ୍ପୂର୍ଣ୍ଣ ଭାରତୀୟ ସାମଗ୍ରୀ ଓ ପାର୍ଟସ୍ ବ୍ୟବହାର କରି ଏହି ରାଇଫଲ୍ ପ୍ରସ୍ତୁତ କରାଯାଇଛି ।

ଏହା ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ବହୁତ ବଡ଼ ପ୍ରୋତ୍ସାହନ ଦେବ। ଆସନ୍ତା ମାସରେ ଭାରତୀୟ ସେନାକୁ ଏହାର ପ୍ରୋଟୋଟାଇପ୍ ଯାଞ୍ଚ ଓ ଟ୍ରାଏଲ୍ ପାଇଁ ହସ୍ତାନ୍ତର କରାଯିବ । ଏହି ଆଧୁନିକ ରାଇଫଲ୍ ଭାରତୀୟ ସେନାରେ ବ୍ୟବହାର ହେଉଥିବା ପୁରୁଣା ଇନସାସ୍ ରାଇଫଲ୍ ସ୍ଥାନରେ ସାମିଲ ହେବ । ଏହାର ଲକ୍ଷ୍ୟଭେଦ କ୍ଷମତା ୮୦୦ ମିଟର ପର୍ୟ୍ୟନ୍ତ ରହିଛି । ସେନା ପାଇଁ ପ୍ରାୟ ୬ ଲକ୍ଷ ରାଇଫଲ୍ ଯୋଗାଇବାକୁ ଚୁକ୍ତି ହୋଇଛି । ଯାହା ୨୦୩୦ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।