ବୃନ୍ଦାବନ (ସତ୍ୟପାଠବ୍ୟୁରୋ)- ଦେଶବିଦେଶରେ ନିଜର ଆଧ୍ୟାତ୍ମିକ ପ୍ରବଚନ ପାଇଁ ପରିଚିତ ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ପ୍ରମୁଖ ଶିଷ୍ୟ ଦୀପକ ଲୋଧୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଆଶ୍ରମର ଚତୁର୍ଥ ମହଲା ଛାତରୁ ଡେଇଁ ସେ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ହେଁ ଘଟଣାସ୍ଥଳରୁ ମିଳିଥିବା କିଛି ସାଂଘାତିକ ପ୍ରମାଣ ଏହି ମାମଲାକୁ ଅତ୍ୟନ୍ତ ରହସ୍ୟମୟ କରିଦେଇଛି । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ନା ଚରମ ନିଷ୍ପତ୍ତି, ତାହାକୁ ନେଇ ନାନା ଚର୍ଚ୍ଚା ଲାଗିରହିଛି ।

ଘଟଣା ସମ୍ପର୍କରେ ସୂଚନା ଦେଇ ବୃନ୍ଦାବନ ସିଓ ସନ୍ଦୀପ କୁମାର ସିଂହ କହିଛନ୍ତି ଯେ, ସର୍ବୋଦୟ ହସ୍ପିଟାଲରେ ଜଣେ ବ୍ୟକ୍ତି ଗୁରୁତର ଆହତ ଅବସ୍ଥାରେ ଭର୍ତ୍ତି ହୋଇଥିବା ପୁଲିସକୁ ପ୍ରଥମେ ଖବର ମିଳିଥିଲା । ପୁଲିସ ତୁରନ୍ତ ତଦନ୍ତ କରିବାରୁ ଜଣାପଡ଼ିଥିଲା ଯେ ମୃତକ ହେଉଛନ୍ତି ମଧ୍ୟପ୍ରଦେଶର ଜବଲପୁର ବାସିନ୍ଦା ଦୀପକ ଲୋଧୀ । ସେ ପ୍ରେମାନନ୍ଦ ମହାରାଜଙ୍କ କେଳି କୁଞ୍ଜ ସହ ଜଡ଼ିତ ଗୁରୁ କୃପା କୁଞ୍ଜ ଆଶ୍ରମରେ ରହୁଥିଲେ । ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ସେ ଆଶ୍ରମ ଛାତରୁ ତଳକୁ ଡେଇଁ ପଡ଼ିଥିବା ପ୍ରାଥମିକ ଭାବେ ପ୍ରକାଶ ପାଇଛି । ଘଟଣାସ୍ଥଳକୁ ତୁରନ୍ତ ଫୋରେନସିକ୍ ଟିମ୍ ଓ ଥାନା ପୁଲିସ ଯାଇ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିଛନ୍ତି ।

ତଦନ୍ତ ବେଳେ ସାମ୍ନାକୁ ଆସିଥିବା ତଥ୍ୟ ଅନୁସାରେ, ଦୀପକଙ୍କ କୋଠରୀରୁ ଏକ ରକ୍ତଭିଜା ଗ୍ରାଇଣ୍ଡର ମେସିନ୍ ଜବତ କରାଯାଇଛି । ଏହା ସହିତ ତାଙ୍କ ଶରୀରର ଗୁପ୍ତାଙ୍ଗ କଟା ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ସେହି ରକ୍ତଭିଜା ଗ୍ରାଇଣ୍ଡର ସାହାଯ୍ୟରେ ନିଜେ ଗୁପ୍ତାଙ୍ଗ କାଟିବା ପରେ ସେ ଛାତରୁ ଡେଇଁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି । ତେବେ ଜଣେ ବ୍ୟକ୍ତି ଏଭଳି ଭୟଙ୍କର ନିଷ୍ପତ୍ତି ନିଜେ କିପରି ନେଇପାରିବେ, ନା ଏହା ପଛରେ କୌଣସି ବାହ୍ୟ ଷଡ଼ଯନ୍ତ୍ର କିମ୍ବା ହତ୍ୟାକାଣ୍ଡ ରହିଛି, ତାହାକୁ ନେଇ ଗମ୍ଭୀର ସନ୍ଦେହ ପ୍ରକାଶ ପାଇଛି ।