ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଘଟିଥିବା ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଭାଇରାଲ୍ ହେବା ପରେ ବେଶ୍ ପ୍ରଶଂସା ସାଉଁଟି ଛନ୍ତି ମହିଳା ।

ସୂଚନା ଯୋଗ୍ୟ, ଏହି ଘଟଣା ଟି ଗତ 7 ତାରିଖର ବୋଲି ଜଣାପଡିଛି । କିଛି ମହିଳା ଓ ପିଲାମାନଙ୍କୁ ନେଇ ଯାଉଥିବା ଗୋଟାଏ ମିନି ବସ୍‌ର ଡ୍ରାଇଭର୍‌କୁ ବାତ ମାରିଥିଲା । ଫଳରେ ଉକ୍ତ ସେମାନଙ୍କ ମଧ୍ୟରେ ଥିବା ଜଣେ ୪୨ ବର୍ଷୀୟ ମହିଳା ଉପସ୍ଥିତ ବୁଦ୍ଧି ଖଟାଇ ଗାଡ଼ିଟିକୁ ୧୦ କିଲୋମିଟର୍‌ ପର୍ଯ୍ୟନ୍ତ ଚଳାଇ ନେଇଥିଲେ ବୋଲି ଜଣେ ସରକାରୀ ଅଧିକାରୀ ଶନିବାର ଦିନ କହିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ପୁଣେ ନିକଟ ଶିରୁର୍‌ସ୍ଥିତ ଗୋଟାଏ କୃଷି-ପର୍ଯ୍ୟଟନ କେନ୍ଦ୍ରରେ ବଣଭୋଜି କରି ଅନ୍ୟ ମହିଳା ଏବଂ ପିଲାମାନଙ୍କ ସହ ଯୋଗୀତା ସତାୱ ନାମ୍ନୀ ଉକ୍ତ ମହିଳାଜଣକ ଫେରୁଥିଲେ। ବାତ ମାରିବାର ଆଭାସ ପାଇ ଡ୍ରାଇଭର୍‌ ନିକାଞ୍ଚନ (ଜନଶୂନ୍ୟ) ରାସ୍ତା ମଝିରେ ବସ୍‌ ଅଟକାଇ ଦେଲେ। ଏ ଘଟଣା ଦେଖି ବସ୍‌ରେ ଥିବା ମହିଳା ଓ ପିଲାମାନେ କାନ୍ଦବୋବାଳି ପକାଇଲେ। କିନ୍ତୁ, ସତାୱ ଆଗେଇ ଯାଇ ଷ୍ଟିଅରିଙ୍ଗ୍‌ ଧରିଥିଲେ ଓ ବସ୍‌ ଚଳାଇ ଅସୁସ୍ଥ ଡ୍ରାଇଭର୍‌ଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ଥିଲେ।

ସତାୱ କହନ୍ତି, ମୁଁ କାର୍‌ ଚଳାଇ ଜାଣିଥିବାରୁ ବସ୍‌ ଚଳାଇ ପାରିବି ବୋଲି ଠିକ୍‌ କଲି। ପ୍ରଥମ ତଥା ଗୁରୁତ୍ବପୂର୍ଣ୍ଣ କର୍ତ୍ତବ୍ୟ ଥିଲା ବସ୍‌ ଡ୍ରାଇଭର୍‌ଙ୍କୁ ଡାକ୍ତରଖାନା ନେବା। ତେଣୁ, ମୁଁ ପାଖ ଡାକ୍ତରଖାନାକୁ ବସ୍‌ ଚଳାଇ ନେଇ ସେଠାରେ ତାଙ୍କୁ ଭର୍ତ୍ତି କରାଇଲି।

ଗଣମାଧ୍ୟମ ସୂଚନା ଅନୁସାରେ, ବସ୍‌ଟିକୁ କିଛି ବାଟ ଚଳାଇ ନେବା ପରେ ଡ୍ରାଇଭର୍‌ଙ୍କୁ ଦୁଇ ଥର ବାତ ମାରିଲା। ତେଣୁ, ସେ ତୁରନ୍ତ ବସ୍‌ ଅଟକାଇ ଦେଲେ। ଏକଥା ଜାଣି ସତାୱ ୧୦ କିଲୋମିଟର୍‌ ଦୂରରେ ଥିବା ଗାନେଗାଓଁ ଖଲସାକୁ ଚଳାଇ ନେଇଥିଲେ। ସେଠାରେ ଅସୁସ୍ଥ ଡ୍ରାଇଭର୍‌ଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଖବର ଦିଆଯିବାରୁ ଆଉ ଜଣେ ବସ୍‌ ଡ୍ରାଇଭର୍‌ଆସି ସେ ମିନି ବସ୍‌କୁ ଶିକରପୁର ହସ୍ପିଟାଲ୍‌କୁ ଚଳାଇ ନେଇ ଅସୁସ୍ଥ ଡ୍ରାଇଭର୍‌ଙ୍କୁ ଭର୍ତ୍ତି କରାଇଥିଲେ। ପରେ ସମସ୍ତ ମହିଳା ଓ ପିଲାଙ୍କୁ ନେଇ ସେମାନଙ୍କ ଗନ୍ତବ୍ୟସ୍ଥଳ ୱାଘୋଲିରେ ପହଞ୍ଚାଇ ଦେଇଥିଲେ ।