ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ

ପଞ୍ଚାୟତ ନିର୍ବାଚନ କୁ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି | ନିର୍ବାଚନ କୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ଥିବା ବେଳେ, ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଯାଇଛି | ଜିଲ୍ଲାରେ ଭୋଟରମାନେ ନିର୍ଭୀକ ଭାବେ ସେମାନଙ୍କ ମତଦାନ ଦେଇପାରିବେ ସେଥିପ୍ରତି ଜିଲ୍ଲା ପ୍ରଶାସନ ସହ ପୁଲିସ ପାଇଁ ଚ୍ୟାଲେଞ୍ଜ୍ ରହିଛି । ନିର୍ବାଚନ ବେଳେ ବିଭିନ୍ନ ବୁଥ୍‌ରେ କିପରି ଶୃଙ୍ଖଳାର ସହିତ ମତଦାନ ହୋଇପାରିବ ତାହା ଉପରେ ଗୁରୁତ୍ୱ ସହ ପଦକ୍ଷେପ ନିଆଯାଇଛି ।

ବ୍ରହ୍ମପୁର ଓ ଗଞ୍ଜାମ ପୁଲିସ ପକ୍ଷରୁ ଜିଲ୍ଲାର ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ଗୁଡିକ ଚୂଡାନ୍ତ ହୋଇଛି । ଜିଲ୍ଲାରେ ମୋଟ ୭୦୯୯ ବୁଥ୍ ମଧ୍ୟରୁ ୬୮୩ ଟି ବୁଥ୍‌କୁ ସମ୍ବେଦନଶୀଳ ଏବଂ ୪୩୧ଟି ବୁଥ୍‌କୁ ଅତିସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି । ଗଞ୍ଜାମ ପୁଲିସ ଜିଲ୍ଲା ଅଧୀନରେ ୫ଟି ପର୍ଯ୍ୟାୟରେ ୧୯ଟି ବ୍ଲକର ୩୭୯ ପଞ୍ଚାୟତରେ ନିର୍ବାଚନ ହେବାକୁ ଥିବା ବେଳେ ସମୁଦାୟ ୫୩୮୭ଟି ବୁଥ୍‌ରେ ମତଦାନ ହେବ । ସେଥିମଧ୍ୟରୁ ୪୨୬ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଥିବା ବେଳେ ୩୮୧ଟି ଅତିସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି ଏବଂ ୪୫୮୦ଟି ସ୍ୱାଭାବିକ ବୁଥ୍ ରହିଛି । ସେହିପରି ବ୍ରହ୍ମପୁର ପୁଲିସ ଜିଲ୍ଲା ଅଧୀନ ୮ଟି ବ୍ଲକର ୧୧୬ଟି ପଞ୍ଚାୟତରେ ନିର୍ବାଚନ ହେବାକୁ ରହିଥିବା ବେଳେ ସମୁଦାୟ ୧୭୧୨ଟି ବୁଥ୍‌ରେ ମତଦାନ ହେବ । ସେଥିମଧ୍ୟରୁ ୨୫୭ଟି ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ ହୋଇଥିବା ବେଳେ ୫୦ଟି ଅତିସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି ଏବଂ ୧୪୦୫ଟି ସ୍ୱାଭାବିକ ବୁଥ୍ ରହିଛି ।

ଆସନ୍ତା ଫେବୃଆରୀ ୧୬ ରୁ ୨୪ ତାରିଖ ଅର୍ଥାତ୍ ଫେବୃୟାରୀ ୧୬ ତାରିଖରେ ଶେରଗଡ, ହିଞ୍ଜିଳି, କୁକୁଡାଖଣ୍ଡି, ଦିଗପହଣ୍ଡି ଓ ପୋଲସରା ବ୍ଲକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଫେବୃୟାରୀ ୧୮ ରେ ସୋରଡା, ରଙ୍ଗେଇଲୁଣ୍ଡା, ସାନଖେମୁଣ୍ଡି, ବୁଗୁଡା ଓ ଚିକିଟି ବ୍ଲକରେ ହେବ । ତୃତୀୟ ପର୍ଯ୍ୟାୟରେ ଫେବୃୟାରୀ ୨୦ରେ ଧରାକୋଟ, ଛତ୍ରପୁର, ଗଞ୍ଜାମ, ପାତ୍ରପୁର ଓ ବେଲଗୁଣ୍ଠା ବ୍ଲକରେ । ଚତୁର୍ଥ ପର୍ଯ୍ୟାୟରେ ଫେବୃୟାରୀ ୨୨ ତାରିଖରେ ଖଲ୍ଲିକୋଟ, ପୁରୁଷୋତ୍ତମପୁର, ଜଗନ୍ନଥାପ୍ରସାଦ ଓ କବିସୂର୍ଯ୍ୟନଗର ବ୍ଲକରେ ଏବଂ ଶେଷ ପର୍ଯ୍ୟାୟରେ ଫେବୃୟାରୀ ୨୪ରେ ବେଗୁନିଆପଡା, ଆସିକା ଓ ଭଞ୍ଜନଗର ବ୍ଲକରେ ନିର୍ବାଚନ ହେବ ।

ମୋଟ ୫ଟି ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ୨୨ ବ୍ଲକର ୫୦୩ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ୱାର୍ଡମେମ୍ବର ଏବଂ ୬୯ ଟି ଜିଲ୍ଲା ପରିଷଦ ଜୋନ୍ ସଦସ୍ୟ ପାଇଁ ଏହି ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ୧୩ ହଜାର ୬୭୫ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସେଥିମଧ୍ୟରୁ ୨୫୬ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ରହିଥିବା ବେଳେ ୧୫୬୩ ଜଣ ସରପଞ୍ଚ ପ୍ରାର୍ଥୀ, ୧୩୪୮ ଜଣ ସମିତିସଭ୍ୟ ପ୍ରାର୍ଥୀ ଏବଂ ୧୦ ହଜାର ୫୦୮ ଜଣ ୱାର୍ଡମେମ୍ବର ପ୍ରାର୍ଥୀ ଏହି ନିର୍ବାଚନରେ ଅଂଶ ଗ୍ରହଣ କରିଛନ୍ତି । ୭୦୯୯ ବୁଥ୍‌ରେ ୨୪ ଲକ୍ଷ ୪୩ ହଜାର ୬୧୬ ଜଣ ଭୋଟର ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ରହିଛି । ଫେବୃୟାରୀ ୨୬ ରୁ ୨୮ ତାରିଖ ତିନିଦିନ ଧରି ନିର୍ବାଚନର ଭୋଟ ଗଣତି ଓ ଫଳାଫଳ ଘୋଷଣା ପାଇଁ ତାରିଖ ଧାର୍ଯ୍ୟ ହୋଇଛି ।

Related Posts