ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅଂଚଳରେ ଲଜ୍ୟା, ୯ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ପଡୋଶୀ ଘରର ଯୁବକ

ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଂଚଳରେ ଲଜ୍ୟା | ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ | ଖରାବେଳେ କେହି ନଥିବାର ସୁଯୋଗ ନେଇ ଏହି କାଣ୍ଡ କରିଛି ପଡୋଶୀ ଘରର ୨୦ ବର୍ଷର ଯୁବକ । ଘଟଣା ପରେ ସଂପୃକ୍ତ ଯୁବକ ଫେରାର ହୋଇଯାଇଛି । ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ପୀଡିତା ନାବାଳିକା ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି ।

ସୂଚନାନୁସାରେ ମଧ୍ୟାହ୍ନ ବେଳେ ନାବାଳିକାଟି ଗାଁ ଦାଣ୍ଡରେ ଏକ ପାଣି ଟ୍ୟାପ୍ ପାଖରେ ଏକୁଟିଆ ଗାଧୋଉଥିଲା । ପୂର୍ବରୁ ତା ଉପରେ ଲୋଲୁପଦୃଷ୍ଟି ରଖିଥିବା ୨୦ ବର୍ଷୀୟ ପଡ଼ୋଶୀ ଯୁବକ ପାଇଁ ମଉକା ଜୁଟି ଯାଇଥିଲା । କାରଣ ସେତେବେଳେ ଗାଁ ଦାଣ୍ଡ ନିଛାଟିଆ ଥିଲା । କାମାନ୍ଧ ଯୁବକ ଅଚାନକ ନାବାଳିକାର ମୁହଁ ବନ୍ଦ କରି ଟେକି ନେଇଥିଲା । ଉକ୍ତ ଟ୍ୟାପ୍‌ଠାରୁ କିଛି ଦୂରରେ ଏକ ନିଛାଟିଆ ବଣ ଭିତରେ ଗଛ ଅଢ଼ୁଆଳରେ ସେ ନାବାଳିକାକୁ ଦୁଷ୍କର୍ମ କରିଥିଲା । ନାବାଳିକାର ମୁହଁକୁ ଚାପି ରଖିଥିବାରୁ ସେ ଆଉ ପାଟି କରିପାରିନଥିଲା । କିନ୍ତୁ ଅଧିକ ସମୟ ମୁହଁକୁ ଚାପି ଧରିଥିବାରୁ ନାବାଳିକାଟି ଅଣନିଃଶ୍ବାସୀ ହୋଇପଡ଼ିଥିଲା ଓ ଦୁଷ୍କର୍ମ ପରେ ବି ପାଟି କରିବା ସ୍ଥିତିରେ ନଥିଲା ।

ତେଣୁ ଦୁର୍ବୃତ୍ତ ଘଟଣାସ୍ଥଳରୁ ପଳାଇବା ପରେ ବି କିଛି ସମୟ ପର୍ଯ୍ୟନ୍ତ ନାବାଳିକାଟି ଗଛମୂଳେ ସେମିତି ଅବଶ ଅବସ୍ଥାରେ ପଡ଼ିରହିଥିଲା। ତେବେ କିଛି ସମୟ ପରେ ସେ ଉଠି କଷ୍ଟେମଷ୍ଟେ ଘରକୁ ଫେରିଥିଲା । ରକ୍ତାକ୍ତ ଅବସ୍ଥାରେ ତାକୁ ଦେଖିବାପରେ ପରିବାର ଲୋକଙ୍କ ମୁଣ୍ଡରେ ଚଡ଼କ ପଡ଼ିଯାଇଥିଲା । କାନ୍ଦି କାନ୍ଦି ନାବାଳିକାଟି ମା’ ଆଗରେ ସବୁ କହିଥିଲା । ଘର କାନ୍ଦବୋବାଳିରେ ଫାଟି ପଡ଼ିଥିବା ବେଳେ ବାପା ତୁରନ୍ତ ପୁଲିସ କଣ୍ଟ୍ରୋଲ ରୁମ୍‌ ସହ ଯୋଗାଯୋଗ କରିଥିଲେ ।

ଖବର ପାଇ ପିସିଆର୍‌ ସେଠାରେ ପହଞ୍ଚି ତୁରନ୍ତ ନାବାଳିକାକୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ ଡାକ୍ତରମାନେ ପ୍ରାଥମିକ ଚିକିତ୍ସା କରିଥିଲେ ବି ଅବସ୍ଥା ସଂକଟାପନ୍ନ ଦେଖି ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ରେଫର୍‌ କରିଥିଲେ । ସେଠାରେ ଚିକିତ୍ସା ପରେ ଏବେ ସ୍ବାସ୍ଥ୍ୟାବସ୍ଥା ଟିକେ ସ୍ଥିର ଥିବା ଜଣାପଡ଼ିଛି । ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ।

Related Posts