ଭୁବନେଶ୍ବର(ସତ୍ୟପାଠବ୍ୟୁରୋ) : ଭୁବନେଶ୍ବର ନୟାପଲ୍ଲୀ ଦୁଷ୍କର୍ମ ମାମଲାରେ ଝାରପଡ଼ା ଜେଲ୍ରେ ଟିଆଇ ପରେଡ୍ ଅନୁଷ୍ଠିତ ହୋଇଛି। ଅଭିଯୁକ୍ତକୁ ମିଶାଇ ମୋଟ ୧୦ ଜଣଙ୍କୁ ଜେଲ ଭିତରେ ଛିଡ଼ା କରାଯାଇଥିଲା। ୯ ଜଣଙ୍କୁ ବାଦ୍ ଦେଇ ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରିଛନ୍ତି ପୀଡ଼ିତା। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଟିଆଇ ପରେଡ୍ କରାଯାଇଥିଲା। ଦୁଷ୍କର୍ମ ମାମଲାରେ ତଦନ୍ତର ଏକ ଗୁରୁତ୍ବପୂର୍ଣ୍ଣ ପ୍ରକ୍ରିୟା ହେଉଛି ଟିଆଇ ପରେଡ୍ ବା ଟେଷ୍ଟ ଆଇଡେଣ୍ଟିଫିକେସନ୍ ପରେଡ୍ ।
ଜେଲ୍ରେ ଡମିମାନଙ୍କ ସହ ଅଭିଯୁକ୍ତଙ୍କୁ ଠିଆ କରାଯାଏ। ଏହାପରେ ପୀଡ଼ିତାଙ୍କୁ ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କୁ ସେମାନଙ୍କ ମଧ୍ୟରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ କୁହାଯାଏ। ଆଉ ଏହି ପୂରା ପ୍ରକ୍ରିୟାର ଅଡିଓ, ଭିଡିଓ ରେକର୍ଡିଂ କରାଯାଏ। ଏହା ତଦନ୍ତର ଏକ ସହାୟକ ପ୍ରକ୍ରିୟା। କୋର୍ଟ ଅନ୍ୟ ପ୍ରମାଣ, ଯଥା ମେଡିକାଲ୍ ପ୍ରମାଣ, ଫୋରେନସିକ୍ ପ୍ରମାଣ, ଡିଜିଟାଲ୍ ଏଭିଡେନ୍ସ, ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ପରିସ୍ଥିତିଜନିତ ପ୍ରମାଣ ସହିତ ମିଶାଇ ସମଗ୍ର ମାମଲାକୁ ବିଚାର କରନ୍ତି ।
