ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ରେ ଓଲା-ଉବର ଚାଳକଙ୍କ ହିଂସାତ୍ମକ ପ୍ରଦର୍ଶନ ଘଟଣାରେ ନୂଆ ମୋଡ଼ । ଭଙ୍ଗାରୁଜା ଓ ପୁଲିସ ଉପରେ ଆକ୍ରମଣ ଘଟଣାକୁ ନେଇ ଏବେ ସାମ୍ନାକୁ ଆସିଛି ଅନ୍ଲାଇନ୍ ଅଟୋ-ଟାକ୍ସି ଡ୍ରାଇଭର ସଂଘର ପ୍ରତିକ୍ରିୟା । ସୋସିଆଲ ମିଡିଆରେ ଭିଡିଓ ଜାରି କରି ଜନସାଧାରଣଙ୍କୁ କ୍ଷମା ମାଗିଛନ୍ତି ସଂଘର ସଭାପତି ଦୀନବନ୍ଧୁ ନାୟକ । ମାଷ୍ଟରକ୍ୟାଣ୍ଟିନ୍ ଘଟଣା ଯୋଗୁଁ ସାଧାରଣ ଲୋକଙ୍କୁ ଯେଉଁ ଅସୁବିଧା ହୋଇଛି, ସେଥିପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି ।
ଭିଡିଓରେ ଦୀନବନ୍ଧୁ କହିଛନ୍ତି, “ଭୁଲ୍ଟା ଭୁଲ୍, ଭୁଲ୍କୁ ଆମେ ସ୍ୱୀକାର କରୁଛୁ । ଏଇଟା ହେବାର ନଥିଲା ।” ଅର୍ଥାତ୍, ଆନ୍ଦୋଳନ ସମୟରେ ଯେଉଁ ହିଂସା ଓ ଭଙ୍ଗାରୁଜା ହୋଇଥିଲା, ତାହାକୁ ସେ ଠିକ୍ ବୋଲି କହିନାହାନ୍ତି । ସେପଟେ ଏହି ଘଟଣା ପଛରେ ରାଜନୈତିକ ହସ୍ତକ୍ଷେପ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହାକୁ ମଧ୍ୟ ଦୀନବନ୍ଧୁ ନାୟକ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, “ଆମେ ସମସ୍ତେ ଗରିବ ଖଟିଖିଆ ଅଟୋ-ଟାକ୍ସି-ବାଇକ୍ ଚାଳକ।” ତେଣୁ ଘଟଣାକୁ ରାଜନୈତିକ ରଙ୍ଗ ଦେବା ଠିକ୍ ନୁହେଁ ବୋଲି ସେ ମତ ରଖିଛନ୍ତି । ତେବେ ଗତ ୧୯ ତାରିଖରେ ମାଷ୍ଟରକ୍ୟାଣ୍ଟିନ୍ରେ ଭଙ୍ଗାରୁଜା ଏବଂ ପୁଲିସକୁ ଆକ୍ରମଣ ପରଠାରୁ ଦୀନବନ୍ଧୁ ନାୟକ ଫେରାର ଥିବା କୁହାଯାଉଥିଲା । ଏବେ ସୋସିଆଲ ମିଡିଆରେ ଭିଡିଓ ଜାରି କରି ସେ ସାଧାରଣ ଲୋକଙ୍କୁ କ୍ଷମା ମାଗିଛନ୍ତି ।
