ରାୟଗଡ଼ା, (ସତ୍ୟପାଠବ୍ୟୁରୋ): ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ଦାନହୁଣ୍ଡି ସୋମବାର ଖୋଲାଯାଇଥିଲା। ୯ଟି ଦାନହୁଣ୍ଡି ଖୋଲି ଦୀର୍ଘ ୮ ଘଣ୍ଟା ଧରି ଗଣତି କରାଯାଇଥିଲା। ସେଥିରୁ ନଗଦ ୫୪ ଲକ୍ଷ ୧୫ ହଜାର ୯୦୨ ଟଙ୍କା, ୬୪ ଗ୍ରାମ ସୁନା ଓ ୧୭୬୪ ଗ୍ରାମ ରୁପା ଅଳଙ୍କାର ବାହାରିଛି । ଏଥିସହ ବିଭିନ୍ନ ଦେଶର ବିଦେଶୀ ନୋଟ ଓ ମୁଦ୍ରା ମଧ୍ୟ ମିଳିଛି । ଏହି ଭିତରେ ଋଣମୁକ୍ତି ପାଇଁ ଭକ୍ତ ଜଣକ ମାଙ୍କୁ ଲେଖିଥିବା ଚିଠି ନେଇ ଚର୍ଚ୍ଚା ଜୋର ଧରିଛି। ଋଣ ବୋଝରେ ଅସହାୟ ହୋଇପଡ଼ିଛନ୍ତି ଜଣେ ଭକ୍ତ । ଚାରିଆଡ଼ୁ ନିରାଶ ହୋଇ ଶେଷରେ ମା’ ମଝିଘରିଆଣୀଙ୍କ ଚରଣରେ ନିଜ ଦୁଃଖ ଜଣାଇଛନ୍ତି । ଋଣମୁକ୍ତ ହେବା ପାଇଁ ମା’ଙ୍କୁ ଏକ ଭାବବିହ୍ୱଳ ଚିଠି ଲେଖି ଦାନହୁଣ୍ଡିରେ ପକାଇଛନ୍ତି। ଦାନହୁଣ୍ଡି ଖୋଲିବା ବେଳେ ଚିଠିଟି ସାମ୍ନାକୁ ଆସିଛି । ଚିଠିଟି ପଢ଼ିବା ପରେ ସେଠାରେ ଉପସ୍ଥିତ ଶ୍ରଦ୍ଧାଳୁ ଭାବବିହ୍ୱଳ ହୋଇପଡ଼ିଛନ୍ତି। ମା’ଙ୍କ ପ୍ରତି ଅଗାଢ଼ ବିଶ୍ୱାସ ରଖି କୋରାପୁଟ ଜିଲ୍ଲାର ସୁନୀଲ ଖରା ନାମକ ଶ୍ରଦ୍ଧାଳୁ ଏହି ଚିଠି ଲେଖିଛନ୍ତି । ଏଥିରେ ସେ ନିଜ ଦୁଃଖ, ଯନ୍ତ୍ରଣା ଓ ଅସହାୟତାର କଥା ଉଲ୍ଲେଖ କରିବା ସହ ଋଣ ବୋଝରୁ ମୁକ୍ତି ପାଇଁ ଗୁହାରି କରିଛନ୍ତି । ଏହି କଷ୍ଟରୁ ତାଙ୍କୁ ଉଦ୍ଧାର କରି ଋଣମୁକ୍ତ କରନ୍ତୁ । ଏଥିଲାଗି ନିଜକୁ ମା’ଙ୍କ ଚରଣରେ ସମର୍ପି ଦେଇଥିବା ଜଣାଇଛନ୍ତି ।
