ତିରୁପତି(ସତ୍ୟପାଠ ବ୍ୟୁରୋ): ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ଏକ ବିବାହ ମଣ୍ଡପରେ ହତ୍ୟାକାଣ୍ଡ ହୋଇଛି। ବୁଧବାର ରାତିରେ ଏକ ବିବାହ ଉତ୍ସବ ଚାଲିଥିବାବେଳେ ଲକ୍ଷ୍ମୀପୁରମ ସର୍କଲ ନିକଟସ୍ଥ ଶ୍ରୀ ପଦ୍ମାବତୀ କଲ୍ୟାଣ ମଣ୍ଡପରେ ଦୁଇ ଜଣଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା। ମୃତକମାନେ ହେଉଛନ୍ତି ମୁନିରଥନମ୍ (୫୦) ଓ ବର୍ଷୀୟ ମଣିକଣ୍ଠ(୪୨)। ତିରୁମାଲା ତିରୁପତି ଦେବସ୍ଥାନମ ଦ୍ୱାରା ପରିଚାଳିତ ପଦ୍ମାବତୀ କଲ୍ୟାଣ ମଣ୍ଡପମ୍ ବାହାରେ ବିବାହ ଉତ୍ସବ ଚାଲିଥିବା ସମୟରେ ସେମାନଙ୍କୁ ଛୁରିରେ ଆକ୍ରମଣ କରାଯାଇଥିଲା। ମୁନିରଥନମ୍ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଗୁରୁତର ଆହତ ମଣିକଣ୍ଠଙ୍କୁ ହସ୍ପିଟାଲକୁ ନିଆଯିବାବେଳେ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ବିବାହ କାର୍ଯ୍ୟକ୍ରମ ସ୍ଥଳରେ ଆତଙ୍କ ଖେଳି ଯାଇଥିଲା। ସୂଚନାଯୋଗ୍ୟ ଯେ, ସମ୍ପୂର୍ଣ୍ଣମ୍ମା ନାମକ ଜଣେ ମହିଳାଙ୍କ ଝିଅ ସୁନିଲ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ସୁନିଲ ଗତ କିଛି ମାସ ଧରି ତାଙ୍କ ଝିଅଠାରୁ ଅଲଗା ରହୁଥିଲେ। ସୁନୀଲ ସେହି ସ୍ଥାନରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିବା ନେଇ ସମ୍ପୂର୍ଣ୍ଣମ୍ମା ଜାଣିବା ପରେ ମୁନିରଥନମ୍ ଓ ମନିକଣ୍ଠଙ୍କୁ ଜଣାଇଥିଲେ। ପରେ ସୁନିଲଙ୍କ ସହିତ ସେମାନଙ୍କର ବଚସା ହୋଇଥିଲା। ସୁନିଲ ଓ ତା’ର ସମ୍ପର୍କୀୟମାନେ ମୁନିରଥନମ୍ ଓ ମଣିକଣ୍ଠଙ୍କୁ ଛୁରିରେ ଆକ୍ରମଣ କରି ସେଠାରୁ ଫେରାର୍ ହୋଇଯାଇଥିଲେ। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଅଭିଯୁକ୍ତମାନଙ୍କୁ ପୋଲିସ ଅଟକ ରଖି ଡବଲ୍ ମର୍ଡର ସମ୍ପର୍କରେ ପଚରାଉଚରା କରୁଛି।