ରାଉରକେଲା NITରେ ପଶିଲା କରୋନା, ତିନି ଜଣ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ବଢୁଛି କରୋନା ସଂକ୍ରାମିତଙ୍କ ସଂଖ୍ୟା | ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(NIT)ରେ ପଢ଼ୁଥିବା ତିନି ଜଣ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରେ ଅଛନ୍ତି ଦୁଇ ଜଣ ଛାତ୍ର ଓ ଜଣେ ଛାତ୍ରୀ । ସେମାନଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି ।

ସଂକ୍ରମିତ ତିନି ଛାତ୍ରଛାତ୍ରୀ ଏବେ ସଂଗରୋଧରେ ଅଛନ୍ତି । ସମସ୍ତଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଏନଆଇଟି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେମାନଙ୍କ ସଂସ୍ପର୍ଶରେ ଆଉ କେଉଁମାନେ ଆସିଛନ୍ତି ସେନେଇ ଯାଞ୍ଚ କରାଯାଉଛି । ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି କର୍ତ୍ତୃପକ୍ଷ ।

ସେପଟେ ବଢୁଥିବା ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସମୀକ୍ଷା ବୈଠକ ଡାକିଛନ୍ତି | କରୋନା ଓ ଓମିକ୍ରନ ସଂକ୍ରମଣ ରାଜ୍ୟରେ ହୁ ହୁ ହୋଇ ବଢିବା ନେଇ ବୈଠକ ଡାକିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ରାଜ୍ୟରେ ଓମିକ୍ରନ ସଂକ୍ରମଣ କିପରି ରୋକାଯାଇ ପାରିବ ସେ ଉପରେ ବିସ୍ତୃତ ଆଲୋଚନା କରାଯିବ ।

ରାଜ୍ୟରେ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇ ଦିନ ହେଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଉପର ମୁହାଁ ହେବାରେ ଲାଗିଛି । ଯାହା ଫଳରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାର ମାନଙ୍କୁ ନେଇ ଏକ ବୈଠକ ଡାକିଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୨୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୭୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୪୭ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

Related Posts