ରାଜ୍ୟରେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ; ପୁଣି ହେବ ସୀମା ନିର୍ଦ୍ଧାରଣ, ଆସନ ସଂରକ୍ଷଣ

ଭୁବନେଶ୍ବର : ପୌର ନିର୍ବାଚନ ପାଇଁ ରାଜ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟରେ ଥିବା ବିଭିନ୍ନ ମ୍ୟୁନିସିପାଲିଟି ଓ ଏନଏସିରେ ପୁଣି ଥରେ ଆସନ ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ କରାଯିବ । ଏ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ନିର୍ବାଚନ ଆୟୋଗଙ୍କ ଯୋଜନା ଅନୁସାରେ ଭୋଟର ତାଲିକା ପ୍ରସ୍ତୁତି ଓ ନିର୍ବାଚନ ପୂର୍ବରୁ ପୌରସଂସ୍ଥାଗୁଡ଼ିକର ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟାକୁ ଶେଷ କରାଯିବ । ୨୦୧୧ ଜନଗଣନାକୁ ବିଚାରକୁ ନିଆଯାଇ ପୌରସଂସ୍ଥାଗୁଡ଼ିକୁ ସମାନ ଜନସଂଖ୍ୟା ଅନୁସାରେ ଓ୍ବାର୍ଡରେ ବିଭକ୍ତ କରାଯିବ । ସେହିପରି ଅନୁସୂଚୀତ ଜାତି, ଜନଜାତି, ପଛୁଆ ବର୍ଗ ଓ ମହିଳାମାନଙ୍କ ପାଇଁ ଆସନ ସଂରକ୍ଷଣ କରାଯିବ । ଏହି ପ୍ରକ୍ରିୟା ଜିଲ୍ଲାପାଳଙ୍କ ତତ୍ବାବଧାନରେ କରାଯିବ ।

ଆସନ ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ନେଇ ନଭେମ୍ବର ୯ ତାରିଖରୁ ମତାମତ ଗ୍ରହଣ କରାଯିବ । ମତାମତ ଦାଖଲର ଶେଷ ଦିନ ରହିଛି ନଭେମ୍ବର ୧୮ ତାରିଖ । ନଭେମ୍ବର ୨୯ ତାରିଖରେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ୨୯ ନଭେମ୍ବରରୁ ୧୩ ଡିସେମ୍ବର ମଧ୍ୟରେ ବିଜ୍ଞପ୍ତି ଉପରେ ଆପତ୍ତି ଅଭିଯୋଗ ଦାଖଲ କରାଯାଇପାରିବ ।

Related Posts