ସିରିଜ୍ ଭୂମିକମ୍ପ ଯୋଗୁଁ ଲୋକେ ଆତଙ୍କିତ
ମୁମ୍ବାଇ(ସତ୍ୟପାଠବ୍ୟୁରୋ): ପ୍ରାକୃତିକ ବିପର୍ଯ୍ୟରେ କଲବଲ ମହାରାଷ୍ଟ୍ର। ଗୋଟିଏ ବର୍ଷା ବିତ୍ପାତ ଲାଗି ରହିଥିବାବେଳେ ଅନ୍ୟପଟେ ଭୂକମ୍ପ ଯୋଗୁଁ ଲୋକେ ଆତଙ୍କିତ। ଗୁରୁବାର ମଧ୍ୟରାତ୍ରିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୁତ ହୋଇଛି। ଲଗାତାର ମୌସୁମୀ ବର୍ଷା ଦ୍ବାରା ପ୍ରଭାବିତ ରାଜ୍ୟରେ ମଧ୍ୟରାତ୍ରିରେ ଭୂମିକମ୍ପ ହେବା ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଦୁଇ ଦୁଇଟି ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟର ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ଭଳି ମନେ ହେଉଛି। ମହାରାଷ୍ଟ୍ରର ମରଠୱାଡା ଅଞ୍ଚଳର ନାନ୍ଦେଡ଼, ହିଙ୍ଗୋଲି ଏବଂ ପରଭାନୀ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଅଧିକାରୀମାନେ କହିଛନ୍ତି ଯେ, ଭୂମିକମ୍ପ ମଧ୍ୟ ରାତି ୧ ଟା୩୭ ରୁ ୩ଟା ୨୩ ମଧ୍ୟରେ ୪ ଥର ହୋଇଥିଲା । ତେବେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରୁ ୪.୬ ମଧ୍ୟରେ ଥିବା ମାପ କରାଯାଇଛି। ବର୍ତ୍ତମାନ କୌଣସି କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ। ମହାରାଷ୍ଟ୍ରର ପରଭାନୀ, ନାନ୍ଦେଦ ଏବଂ ହିଙ୍ଗୋଲିରେ ଗୋଟିଏ ରାତିରେ ଚାରିଥର ଭୂମିକମ୍ପ ଅନୁଭୂତ ହୋଇଛି। ଲଗାତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ଭୂମିକମ୍ପ ଯୋଗୁ ଘରେ ଶୋଇଥିବା ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା। ଭୟଭୀତ ଲୋକମାନେ ତୁରନ୍ତ ଘରୁ ବାହାରକୁ ବାହାରି ଆସିଥିଲେ।