ମାଲକାନଗିରି, (ସତ୍ୟପାଠବ୍ୟୁରୋ):ଜାତିଗତ ପ୍ରମାଣପତ୍ର ପ୍ରଦାନ ପାଇଁ ଲାଞ୍ଚ ଦାବି କରିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଝାରାପାଲି ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ସୁରଜ ବାଲା ଭିଜିଲାନ୍ସ ଦ୍ୱାରା ଧରା ପଡ଼ିଛନ୍ତି। ତାଙ୍କ ନିକଟରୁ ୮,୦୦୦ ଟଙ୍କା ଜବତ କରାଯାଇଛି। ଶ୍ରୀ ବାଲାଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ ଜାରି ରହିଛି।
ସୂଚନାନୁସାରେ, ଜଣେ ଆବେଦନକାରୀଙ୍କୁ ‘ଅନୁସୂଚିତ ଜାତି’ (ଏସ୍‌ସି) ପ୍ରମାଣପତ୍ର ପ୍ରଦାନ ପାଇଁ ଆରଆଇ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରୁଥିଲେ। ଆବେଦନକାରୀ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିୟମ ଅନୁଯାୟୀ ଉକ୍ତ କାର୍ଯ୍ୟ ପାଇଁ ଅନଲାଇନରେ ଆବେଦନ କରିଥିଲେ ଏବଂ ଆବଶ୍ୟକୀୟ ଦେୟ ଜମା କରିଥିଲେ। କିନ୍ତୁ ଆରଆଇ ବାଲା ଅନାବଶ୍ୟକ ଭାବେ ଏହି ପ୍ରକ୍ରିୟାରେ ବିଳମ୍ବ କରୁଥିଲେ। ଏହା ବଦଳରେ ଆବେଦନକାରୀଙ୍କ ନିକଟରୁ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ବାଲା ଆରଆଇଙ୍କୁ ପ୍ରଥମେ ୮,୦୦୦ ଟଙ୍କା ଏବଂ କାମ ସରିବା ପରେ ୨,୦୦୦ ଟଙ୍କା ଦେବାକୁ କହିଥିଲେ। ଲାଞ୍ଚ ଦାବି ଓ ହଇରାଣ ହେବା ଘଟଣାରେ ଅସନ୍ତୁଷ୍ଟ ହୋଇ ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ଜଣାଇଥିଲେ। ଭିଜିଲାନ୍ସର ଏକ ଟିମ୍ ଆରଆଇ ବାଲାଙ୍କ କାର୍ଯ୍ୟାଳୟରେ ଚଢ଼ଉ କରି ୮,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା। ଏ ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। ଅଭିଯୁକ୍ତ ଆରଆଇ ବାଲା ଏହା ପୂର୍ବରୁ ଏକ ଇସି ମାମଲାରେ ୧୫,୦୦୦ ଟଙ୍କା ଲାଞ୍ଚ ନେଇଥିଲେ, ଯେଉଁ ମାମଲାଟି ବର୍ତ୍ତମାନ ବିଚାରାଧୀନ ରହିଛି।