ଲେଉଟାଣି ଦେବ ଶୀତ, ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା, ଥରିବ ଓଡିଶା

ରାଜ୍ୟରେ କିଛି ଦିନ ହେବ ଅଦିନିଆ ବର୍ଷା ଲାଗିରହିଥିବା ବେଳେ, ଏବେ ଟିକେ କମିଛି ବର୍ଷା | ତେବେ ବର୍ଷା ଟିକେ କମିଥିବା ବେଳେ, ଆଜିଠୁ ପୁଣି ଥରେ ଆରମ୍ଭ ହୋଇଯିବ ଶୀତ | ଏହାପରେ ପାଗରେ ପରିବର୍ତ୍ତନ ଆସିବ । ଶୀତ ବଢିବା ସହିତ ଘନ କୁହୁଡ଼ି ମଧ୍ୟ ପଡ଼ିବ । କାଲିଠୁ ରାଜ୍ୟରେ ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିବ । ଆଭ୍ୟନ୍ତରୀଣ ଓଡିଶାର ତାପମାତ୍ରା ସ୍ୱାଭାବିକଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ । ଫଳରେ ପୁଣି ଜାଡ଼ ଫେରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୭ ତାରିଖରେ ଘନ କୁହୁଡି ପାଇଁ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ରାତି ଏବଂ ଭୋର ସମୟରେ ଗାଡି ଚାଳନା ଉପରେ ସତର୍କ ରହିବାକୁ ଡ୍ରାଇଭରମାନଙ୍କୁ ପରାମର୍ଶ ଦିଆଯାଇଛି |

ଜାନୁଆରୀ ୧୧ରୁ ଆରମ୍ଭ ହୋଇଥିବା ବର୍ଷା କୁଆପଥର କାରଣରୁ ବ୍ୟାପକ ଚାଷ ନଷ୍ଟ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡିରେ ଧାନ ଭିଜିବା ଲକ୍ଷ୍ୟକୁ ଆସିଛି । ଏହାରି ମଧ୍ୟରେ ରାଜ୍ୟରେ ପୁଣୀ ଆସନ୍ତା ୨୧ରୁ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ କୂଆପଥର ସହିତ ବର୍ଷା ଅନୁଭୁତ ହୋଇପାରେ । ତେବେ ରାଜ୍ୟରେ ବର୍ତ୍ତମାନ ବର୍ଷାର ପରିମାଣ କମିବା ସହିତ ଶୀତ ବଢିବ । ରାତି ସମୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ତଳକୁ ଖସିବ । ୧୯ ତାରିଖ ପରେ ପୁଣି ପାରଦ ଉପରମୁହାଁ ହେବ ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି , ଗଞ୍ଜାମ , ନବରଙ୍ଗପୁର ,ରାୟଗଡ଼ା , ମାଲକାନଗିରି କୋରାପୁଟ ଜିଲାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷ ହେବାର ସମ୍ଭାବନା ରହିଛି ଏଥିସହିତ ସୁନ୍ଦରଗଡ଼ , କେନ୍ଦୁଝର , ଝାରସୁଗୁଡ଼ା , ସମ୍ବଲପୁର , ବରଗଡ଼ , ସୋନପୁର , ବଲାଙ୍ଗୀର ଏବଂ ନୂଆପଡ଼ା ଜିଲାର କେତେକ ସ୍ଥାନରେ ହାଲୁକା କୁହୁଡି ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଦାରିଙ୍ଗବାଡ଼ିରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୧୧ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି ।

Related Posts