ନୂଆପଡ଼ା, (ସତ୍ୟପାଠବ୍ୟୁରୋ): ନୂଆଖାଇ ପର୍ବ ଯେତିକି ଆନନ୍ଦ ଆଣିଦିଏ, ତା’ ପର ମୁହୂର୍ତ୍ତରେ ଦାଦନ ଶ୍ରମିକମାନଙ୍କ ପାଇଁ ସେତିକି ଦୁଃଖ ଭରି ଦିଏ। ନୂଆଖାଇ ପର୍ବ ପରେ ପରେ ଆରମ୍ଭ ହୋଇଯାଏ ଦାଦନ ଋତୁ। ପେଟକୁ ଦୁଇ ମୁଠା ଦାନା ଯୋଗାଡ଼ କରିବା ଆଶାରେ ହଜାର ହଜାର ଶ୍ରମିକ ନିଜ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଚାଲି ଯାଆନ୍ତି। ତାପରଠୁ ଆରମ୍ଭ ହୋଇଯାଏ ଦାଦନର ଦୁଃଖଭରା କାହାଣୀ। ତେବେ ଏବେ ଠାରୁ ଦାଦନ ଶ୍ରମିକମାନଙ୍କୁ କିଣି େନବା ପାଇଁ ସର୍ଦ୍ଦାରମାନଙ୍କ ଭିଡ଼ ଲାଗି ଗଲାଣି। ଦାଦନ ଶ୍ରମିକ ଚାଲାଣ ପାଇଁ ଗଁା ଗଁାରେ ଆଡଭାନ୍ସ ପ୍ୟାକେଜ ଦିଆଯାଉଥିବା ଜଣାପଡ଼ିଛି। ଜଣେ ଶ୍ରମିକଙ୍କ ପାଇଁ ବାର୍ଷିକ ୫୦ରୁ ୬୦ହଜାର ଟଙ୍କା ଡିଲ୍‌ ହେଉଥିବା େବଳେ ପ୍ରାୟ ୨୫ ହଜାର ଟଙ୍କା ଅଗ୍ରୀମ ଦିଆଯାଇ କିଣି େନଉଥିବା ଜଣାପଡ଼ିଛି। ଶ୍ରମିକମାନେ ଏଠାକୁ ଆସି ସର୍ଦ୍ଦାରଙ୍କ ସହ କର୍ଥାବାର୍ତ୍ତା କରି ବ୍ରିକି ହୋଇଯାଉଛନ୍ତି। ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକରେ ଏଭଳି ଚର୍ଚ୍ଚା ଜୋର ଧରିଛି। ବିଶେଷକରି ରାଣୀମୁଣ୍ଡା, ଶରଧାପୁର, କିରିକିଟା, ସୁନାରିସିକୁଆ, ଦାବ୍ରି, ବିରିଘାଟ, ଲାଞ୍ଜି, ସାନମହେଶ୍ବର, ବରଗାଁ, ଭୋଜପୁର, ଭୁଲିଆସିକୁଆ, ବାଦୀ, ଡୁଆଝର ଓ ଖାସବାହାଲ ପଞ୍ଚାୟତର ବିଭିନ୍ନ ଗଁାରେ ସର୍ଦ୍ଦାରମାନେ ବୁଲି ବିଭିନ୍ନ ପ୍ରଲୋଭନ ଦେଖାଇ କିଣି େନଉଥିବା ଅଭିଯୋଗ ହୋଇଛି। ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ବ ନୂଆଖାଇ ଅବସରରେ ଗରିବ ଶ୍ରମିକ ପରିବାର ଗୁଡ଼ିକୁ ଅର୍ଥର ଆବଶ୍ୟକ‌ତା ରହୁଥିବାରୁ ସର୍ଦ୍ଦାରମାନେ ଏହାର ସୁଯୋଗ ନେଉଛନ୍ତି। ଏଭଳି ବର୍ଷ ବର୍ଷ ହଜାର ହଜାର ଲୋକ ଦାଦନ ଖଟିବାକୁ ଯାଉଥିଲେ ବି ଶ୍ରମ ବିଭାଗରୁ ନେଇ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଯେମିତି ସ୍ଥାଣୁ ପାଲଟିଛି। କେବଳ ଲୋକ ଦେଖାଣିଆ ଭାବେ ପ୍ରଶାସନ ପକ୍ଷରୁ ଦାଦନ ଚାଲାଣ ରୋକିବା ପାଇଁ ସଚେତନତା ଅଭିଯାନ କରାଯାଉଥିବା ଚର୍ଚ୍ଚା ହେଉଛି।

ସୂଚନାଥାଉକି, ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟାପ୍ତ ରୋଜଗାର ସୁଯୋଗ ନ ଥିବାରୁ ଅଧିକ ମଜୁରୀର ପ୍ରତିଶ୍ରୁତି ଦେଇ ଶ୍ରମିକଙ୍କୁ ପ୍ରତିବର୍ଷ ବାହାର ରାଜ୍ୟକୁ ନିଆଯାଉଛି। ଖରିଫ ଓ ରବି ଚାଷ ସମୟରେ ପ୍ରାୟ କିଛି ମାସ ଲୋକଙ୍କୁ କାମ ମିଳୁଥିବା ବେଳେ ଅନ୍ୟ ସମୟରେ ରୋଜଗାରର ଅଭାବ ଦେଖାଦେଉଛି। ଫଳରେ ଅନେକ ଗରିବ ପରିବାର ଦାଦନ ଖଟିବାକୁ ବାହାର ରାଜ୍ୟ ଯିବାକୁ ବାଧ୍ୟ ହେଉଛନ୍ତି। ଦାଦନ ଚାଲାଣ ରୋକିବା ପାଇଁ କେବଳ ସଚେତନତା ନୁହେଁ, ଶ୍ରମିକଙ୍କୁ ସ୍ଥାନୀୟ ଅଞ୍ଚଳରେ ନିୟମିତ ରୋଜଗାର ଯୋଗାଇବା, ସରକାରୀ ଯୋଜନାର ସଠିକ୍ କାର୍ଯ୍ୟାନ୍ବୟନ ଏବଂ ଦାଦନ ସର୍ଦ୍ଦାରଙ୍କ ଗତିବିଧି ଉପରେ କଡ଼ା ନଜର ରଖିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ପ୍ରସଙ୍ଗକୁ ନେଇ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ଦାଦନ ଶ୍ରମିକ ଚାଲାଣ ରୋକିବା ପାଇଁ ଅନେକ କାର୍ଯ୍ୟକ୍ରମ ଚାଲିଥିବା ଅଧିକାରୀ ପ୍ରକାଶ କରିଛନ୍ତି।