ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ସ୍ଥାନ ପାଇଲା ରାଜ୍ୟ ତଥା ବିଭାଗ ଓ ସଶସ୍ତ୍ର ବଳର ୨୫ ପ୍ରଜ୍ଞାପନ ମେଢ଼

ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ସ୍ଥାନ ପାଇବ ୨୫ଟି ପ୍ରଜ୍ଞାପନ ମେଢ଼ | ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏହି ଅଵସରରେ ବିଭିନ୍ନ ରାଜ୍ୟ ତଥା ବିଭାଗ ଓ ସଶସ୍ତ୍ର ବଳର ୨୫ଟି ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇବ। ଏହା ବ୍ୟତୀତ ୧୬ ମାର୍ଚ୍ଚିଂ କଣ୍ଟିଜେଣ୍ଟ ଏବଂ ୧୭ ସାମରିକ ବ୍ୟାଣ୍ଡ୍‌ ପରେଡରେ ସାମିଲ ହେବ ବୋଲି ଭାରତୀୟ ସେନା ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

ଏହା ବ୍ୟତୀତ ପରେଡ୍‌ରେ ଗୋଟିଏ ପିଟି-୭୬ ଟ୍ୟାଙ୍କ, ଗୋଟିଏ ସେଞ୍ଚୁରିଅନ୍‌ ଟ୍ୟାଙ୍କ, ୨ଟି ଏମ୍‌ବିଟି ଅର୍ଜୁନ ଏମ୍‌କେ-୧ ଟ୍ୟାଙ୍କ, ଗୋଟିଏ ଏପିସି ଟୋପାସ୍‌ ଆର୍ମର୍ଡ କ୍ୟାରିୟର ସ୍ଥାନ ପାଇବାକୁ ଥିବାବେଳେ କମାଣ, ତୋପ, ଇଲେକ୍ଟ୍ରୋନିକ ଯୁଦ୍ଧାସ୍ତ୍ର, ମିଶାଇଲ ଆଦି ସାମିଲ ହେବ।

ତିନି ବାହିନୀର ପ୍ରତିନିଧିଙ୍କ ବ୍ୟତୀତ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ, ସିଆର୍‌ପିଏଫ୍‌, ସିଆଇଏସ୍‌ଏଫ୍‌, ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି), ଭାରତୀୟ ତଟ ସୁରକ୍ଷା ବାହିନୀ (ଆଇସିଜି), ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର କଣ୍ଟିଜେଣ୍ଟ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେବେ। ଚଳିତ ବର୍ଷ ପରେଡରେ ଦୁଇଜଣ ପରମବୀର ଚକ୍ର ଓ ଜଣେ ଅଶୋକ ଚକ୍ର ପୁରସ୍କାରପ୍ରାପ୍ତ ସୈନ୍ୟ ଉପସ୍ଥିତ ରହିବେ।

ପରେଡ୍‌ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଦେଶପାଇଁ ପ୍ରାଣବଳି ଦେଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ପରେଡ୍‌ ପୂର୍ବାହ୍ନ ୧୦ଟା ୩୦ରେ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଚାଲିବ। ଗୋଟିଏ ପୁରୁଷ ଆଇଟିବିପି ଏବଂ ଗୋଟିଏ ମହିଳା ବିଏସ୍‌ଏଫ୍‌ ଟିମ୍‌ ମୋଟରସାଇକେଲରେ କଳାକୌଶଳ ପ୍ରଦର୍ଶନ କରିବେ।

Related Posts