କୋଇଡ଼ା, (ସତ୍ୟପାଠବ୍ୟୁରୋ): ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଡେଙ୍ଗୁଲା ପଞ୍ଚାୟତର କୁଲ୍ଲା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କୁଲ୍ଲା ଗାଁର ହୃଷୀକେଶ ନାୟକ (୪୦)। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦନ୍ତା ହାତୀ ଜଙ୍ଗଲରୁ ବାହାରି କୁଲ୍ଲା ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରକୁ ପଶି ଆସିଥିଲା। ହାତୀଟି ସ୍କୁଲର ଗୋଦାମ ଘର ଭାଙ୍ଗି ସେଠାରେ ରଖାଯାଇଥିବା ଗହମ ଖାଇ ଉତ୍ପାତ କରିଥିଲା। ଗ୍ରାମବାସୀ ଏହା େଦଖି ଏକତ୍ରିତ ହୋଇ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ସେହି ସମୟରେ ଗ୍ରାମବାସୀଙ୍କ ଭିଡ଼ ଦେଖି ହାତୀଟି ହଠାତ୍ ଉତ୍କ୍ଷିପ୍ତ ହୋଇ ଲୋକଙ୍କ ଆଡ଼କୁ ମାଡ଼ି ଆସିଥିଲା। ଭୟରେ ଲୋକମାନେ ଛତ୍ରଭଙ୍ଗ ଦେଇ ଦୌଡ଼ୁଥିବା ବେଳେ ହୃଷୀକେଶ ହାତୀ ହାବୁଡ଼େ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ହାତୀ ଦଳି ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପାଇ ବନ ବିଭାଗ ଓ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ମାତ୍ର ୧୦ ଦିନ ପୂର୍ବରୁ ହୃଷୀକେଶଙ୍କ ବଡ଼ ଭାଇଙ୍କର ଅସ୍ବାଭାବିକ ଭାବେ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ବଡ଼ ଭାଇଙ୍କ ବିୟୋଗ ଶୋକରୁ ନିଜକୁ ସମ୍ଭାଳି ପାରି ନଥିବା ବେଳେ, ଅଚାନକ ସାନ ଭାଇ ହୃଷୀକେଶଙ୍କର ଏପରି ଅକାଳ ମୃତ୍ୟୁ ସେମାନଙ୍କୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି।
ସୂଚନାଯୋଗ୍ୟ, ଏହି ଅଞ୍ଚଳରେ ପ୍ରାୟତଃ ହାତୀଙ୍କର ଉପଦ୍ରବ ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମୃତକଙ୍କ ଶୋକସନ୍ତପ୍ତ ପରିବାରକୁ ତୁରନ୍ତ ସରକାରୀ କ୍ଷତିପୂରଣ ପ୍ରଦାନ କରିବା ସହ ଅଞ୍ଚଳରେ ହାତୀ ଦାଉରୁ ସୁରକ୍ଷା ଯୋଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।
