ହେଟ୍‌ ସ୍ପିଚ୍‌ ଦେବା ମାମଲା: ନରସିଂହାନନ୍ଦ ଗିରି ଗିରଫ

ଗିରଫ ହେଲେ ନରସିଂହାନନ୍ଦ ଗିରି। ହରିଦ୍ବାର ହେଟ୍‌ ସ୍ପିଚ୍‌ ମାମଲାରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଗିରଫ କରିଛି । ଧର୍ମ ସଂସଦରେ ଉତ୍ତେଜନାମୂଳକ ଭାଷଣ ମାମଲାରେ ଗିରଫଦାରୀ ନେଇ ଜୋର ଧରିଥିଲା ଚର୍ଚ୍ଚା । ଫଳରେ ପୋଲିସ ଧର୍ମ ସଂସଦର କୋର କମିଟି ସଦସ୍ୟ ମହାମଣ୍ଡଳେଶ୍ବର ୟତି ନରସିଂହାନନ୍ଦ ଗିରିଙ୍କୁ ପୋଲିସ ଗିରଫ କରିଛି। ଏହାପୂର୍ବରୁ ଇସ୍‌ଲାମ୍‌ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିଥିବା ଜିତେନ୍ଦ୍ର ତ୍ୟାଗୀ ଓରଫ ୱାସିମ ରିଜଭି ଗିରଫ ହୋଇଥିଲେ ।

ହେଟ୍‌ ସ୍ପିଚ୍ ଦେବା ମାମଲାରେ ଧର୍ମଗୁରୁମାନଙ୍କ ମଧ୍ୟରେ ୟତି ନରସିଂହାନନ୍ଦଙ୍କ ନାଁ ମଧ୍ୟ ସାମିଲ ଅଛି । ଧର୍ମ ସଂସଦରେ ଉତ୍ତେଜନାମୂଳକ ଭାଷଣ ମାମଲା ଏବେ ବେଶ୍‌ ଚର୍ଚ୍ଚାରେ ରହିଛି । ଘୃଣା ଭାଷଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟଙ୍କୁ ମଧ୍ୟ ଅନୁରୋଧ କରାଯାଇଛି । ନାଗରିକ ସଂଗଠନ ଏବଂ ଅନ୍ୟାନ୍ୟ ବ୍ୟକ୍ତିତ୍ବ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନ ବିଚାରପତି ଏନ.ଭି ରମଣା ଏବଂ ଅନ୍ୟାନ୍ୟ ବ୍ୟକ୍ତିତ୍ବଙ୍କୁ ଚିଠି ଲେଖିଛନ୍ତି । ବୁଧବାର ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସ ଓ ଉତ୍ତରାଖଣ୍ଡ ପୋଲିସଙ୍କୁ ନିରପେକ୍ଷ ତଦନ୍ତ ପାଇଁ ଏକ ନୋଟିସ ଜାରି କହିଥିଲେ ।ହରିଦ୍ବାର ଧର୍ମ ସଂସଦରେ ଏକ ନିର୍ଦ୍ଧିଷ୍ଟ ଧର୍ମ ବିରୋଧରେ ଘୃଣା ଭାଷଣ ନେଇ ଅସନ୍ତୋଷ ଦେଖାଦେଇଥିଲା । ଏନେଇ ରୁଜ୍ଜୁ ହୋଇଥିବା ମାମଲାରେ ୧୦ରୁ ଅଧିକ ଜଣଙ୍କ ନାଁ ସାମିଲ ଅଛି । ଉତ୍ତରାଖଣ୍ଡ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତଙ୍କୁ ଗିରଫ କରିବା ଆରମ୍ଭ କରିଛି ।

ସୂଚନାଅନୁସାରେ, ଉତ୍ତରାଖଣ୍ଡ ହରିଦ୍ବାରରେ ଆୟୋଜିତ ହୋଇଥିବା ଧର୍ମ ସଂସଦରେ ହିନ୍ଦୁ ସାଧୁ ସନ୍ଥମାନେ ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ଉସୁକାଇବା ଭଳି ଭାଷଣ ଦେଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏଭଳି ଭିଡିଓ ସମାଜର ଭାଇଚାରାକୁ ନଷ୍ଟ କରୁଛି ବୋଲି ଅଭିଯୋଗ ସହ ଘଟଣାକୁ ତୀବ୍ର ନିନ୍ଦା କରାଯାଇଥିଲା । ଆୟୋଜିତ ଧର୍ମ ସଭାରେ ୫୦୦ ରୁ ଅଧିକ ମହାମଣ୍ଡଳେଶ୍ବର ମହନ୍ତ ଯୋଗଦେଇଥିବାବେଳେ ଏହା ସହ 700 ରୁ 800 ସନ୍ଥ ସାମିଲ ହୋଇଥିଲେ ।

Related Posts