୧୨ଦିନର ମହାକାଶ ଯାତ୍ରା ସାରି ପୃଥିବୀକୁ ଫେରିଲେ ଜାପାନୀ କୋଟିପତି ମେଏଜାୱା

ନୂଆଦିଲ୍ଲୀ ୨୦/୧୨: ପର୍ଯ୍ୟଟନ ମହାକାଶଯାନରେ ଜଣେ ସହକାରୀଙ୍କ ସହ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’କୁ ଯାଇ ୧୨ ଦିନ ବିତାଇବା ପରେ ପୃଥିବୀ ପୃଷ୍ଠକୁ ଫେରିଛନ୍ତି ଜାପାନୀ କୋଟିପତି ୟୁସାକୁ ମେଏଜାୱା ।

ଆଜି କାଜାଖ୍‌ସ୍ତାନ୍‌ ଠାରେ ଅବତରଣ କରି ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ଗତ ଡିସେମ୍ବର ୮ ତାରିଖ ଦିନ ରୁଷୀୟ ମହାକାଶ ଏଜେନ୍‌ସି ‘ରୋସ୍‌କସ୍‌ମସ୍‌’ ମେଏଜାୱା ଏବଂ ତାଙ୍କ ସହକାରୀଙ୍କୁ ‘ସୋୟୁଜ୍‌’ ମହାକାଶଯାନରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ପ୍ରେରଣ କରିଥିଲେ । କୋଟିପତିଙ୍କ ମହାକାଶ ଗସ୍ତକୁ ରେକର୍ଡ କରିବା ପାଇଁ ସହକାରୀ ଭାବେ ଯାଇଥିଲେ‌ ୟୋଜୋ ହିରାନୋ। ରୁଷୀୟ ମହାକାଶଚାରୀ ଆଲେକ୍‌ଜେଣ୍ଡର୍‌ ମିସୁର୍କିନ୍‌ ମଧ୍ୟ ସେମାନଙ୍କ ସହ ଯାଇଥିଲେ। ସେମାନେ କାଜାକ୍ ର ଷ୍ଟେପି ଅଞ୍ଚଳରେ ଅବତରଣ କରିଛନ୍ତି ।ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯିବାରେ ମେଏଜାୱା ହେଉଛନ୍ତି ପ୍ରଥମ ଜାପାନୀ ପର୍ଯ୍ୟଟକ। ‘ସ୍ପେସ୍‌ଏକ୍‌’ର ଚନ୍ଦ୍ର ଗସ୍ତରେ ଯିବା ପାଇଁ ମଧ୍ୟ ସେ ପ୍ରଥମ ଘରୋଇ ଯାତ୍ରୀ ଭାବେ ବରାଦ ଦେଇଛନ୍ତି।ସ୍ବଦେଶରେ ସାମାଜିକ ଗଣମାଧ୍ୟମରେ ପ୍ରସିଦ୍ଧ ମେଏଜାୱା ପୃଥିବୀକୁ ଫେରିବା ପୂର୍ବରୁ ପୃଥିବୀର ମଧ୍ୟାକର୍ଷଣ ଶକ୍ତିର ପ୍ରଭାବ ନ ଥିବା ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ନିଜର ଏକ ଭାସମାନ ଅବସ୍ଥାର ଭିଡିଓ ଟୁଇଟ୍‌ କରିଥିଲେ।

ଏହି ୧୨ଦିନିଆ ଗସ୍ତକାଳରେ ମେଏଜାୱା ‘ସଫ୍ଟ୍‌ବ୍ୟାଙ୍କ୍‌ ଗ୍ରୁପ୍‌ କର୍ପୋରେସନ୍‌ର ସଂସ୍ଥାପକ ତଥା ‘ସିଇଓ’ ମାସାୟୋଶି ସ‌ୋନ୍‌ଙ୍କ ଠାରୁ ଫୋନ୍‌ କଲ୍‌ ପାଇଥିଲେ। ସୋନ୍‌ କହନ୍ତି, ମେଏଜାୱା ମୋ ମୋବାଇଲ୍‌କୁ କଲ୍‌ କରିଥିଲେ କିନ୍ତ, କଲ୍‌ କଟିଗଲା ! ମୁଁ ତାଙ୍କୁ କଲ୍‌ ବ୍ୟାକ୍ କରିବାକୁ ‌‌ଚେଷ୍ଟା କଲି, କିନ୍ତୁ, ସେ ରେଞ୍ଜ୍‌ ବାହାରେ ଥିଲେ। ପରେ ମେଏଜାୱାଙ୍କ କଲ୍‌ ମୋ ମୋବାଇଲ୍‌ ସହ ‌ସଂଯୋଗ ହୋଇଥିଲା। ବଡ଼ ଆନନ୍ଦର କଥା। ସେ ଭଲ ଅଛନ୍ତି !ଘରୋଇ ଜେଟ୍‌ ଏବଂ ସୁପର୍‌ କାର୍‌, ଟୁଇଟର୍‌ ଅନୁଗାମୀମାନଙ୍କୁ ନଗଦ ଅର୍ଥ ବଣ୍ଟନ ଏବଂ ସେଲିବ୍ରିଟି ବାନ୍ଧବୀପ୍ରେମୀ ମେଏଜାୱା ସ୍ବଦେଶରେ ସୁପରିଚିତ।

Related Posts