ଯାଜପୁର, (ସତ୍ୟପାଠବ୍ୟୁରୋ): ଗୋଟିଏ ବନ୍ୟା ପରେ ଗୋଟିଏ ବନ୍ୟା। ଅଣ୍ଟା ସଳଖିବା ପୂର୍ବରୁ ଆଉ ଏକ ବନ୍ୟା ଆସି ଯାଉଛି। ତୁହାକୁ ତୁହା ବନ୍ୟା ଆସି ଜନଜୀବନ ଅସ୍ତବ୍ୟସ୍ତ କରିସାରଲାଣି। ବୈତରଣୀରେ ବାରମ୍ବାର ବନ୍ୟା ଆସି ଲୋକଙ୍କ ଜୀବନ ଦୁର୍ବିସହ କରି ପକାଇଛି। ପଞ୍ଚମ ଥର ପାଇଁ ପୁଣି ବୈତରଣୀ ନଦୀରେ ଆସିଛି। ମାତ୍ର ୫୨ ଦିନରେ ୫ ଟି ବନ୍ୟା ଦେଖିସାରିଲାଣି ଦଶରଥପୁର। ଫଳରେ ବନ୍ୟା ବିପନ୍ନ ଦହଗଞ୍ଜ ହେଉଥିବା ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକଟି ଆଜି ପୁଣି ହୋଇଛି ପ୍ରଭାବିତ ହୋଇଛି । ଶାଖା ନଦୀ କାଣୀ ଗୋଟିଏ ପରେ ଗୋଟିଏ ତାଣ୍ଡବ ରଚି ଚାଲିଛି । କାଣୀ ନଦୀ ତରପଦା ପଞ୍ଚାୟତ ଡୋଭାବିଲ ପାଟଣା ଠାରେ ମୁକୁଳା ଘାଇ ମୁହଁ ଦେଇ ଖୁବ ଜୋରରେ ଗାଁ କୁ ପ୍ରବେଶ କରୁଛି ବନ୍ୟା ଜଳ । ଏହା ଛଡା କାଣୀ ନଦୀ କଣ୍ଟାପଡା ଠାରେ ପ୍ରଥମ ବନ୍ୟାରେ ମୁକୁଳା ଘାଇ ମୁହଁ ଦେଇ ବନ୍ୟା ଜଳ ମଧ୍ୟ ପ୍ରବାହିତ ହେଉଛି ।
କିନ୍ତୁ ବୈତରଣୀ ନଦୀ ଜୟନ୍ତରା ମହାପାତ୍ର ସାହି ଘେରି ବନ୍ଧ ଅନ୍ୟ ଏକ ସ୍ଥାନରେ ପ୍ରାୟ ୪୦ ଫୁଟ ଭାଙ୍ଗି ଯାଇଥିବା ଦେଖାଯାଇଛି । ଫଳରେ ବ୍ଲକର କସପା, ତରପଦା, ମଲିକାପୁର, ଛଚିଣା, ଆଦି ପଞ୍ଚାୟତ ଜଳ ମଗ୍ନ ହୋଇସାରିଲାଣି । ଗାଁ ମଝିରେ ୩ ଫୁଟ ଉଚ୍ଚତା ରେ ବନ୍ୟା ଜଳ ଲହଡି ଭାଙ୍ଗୁଛି । ସବୁଠୁ ଦୁଃଖର ବିଷୟ ଦଶରଥପୁର ବନ୍ୟାରେ ପ୍ରଥମ ବନ୍ୟା ଜୁଲାଇ ୬ରେ କାଣୀ ନଦୀ କଣ୍ଟପଡା ଠାରେ ଘାଇ ହୋଇଥିବାବେଳେ ଦ୍ୱିତୀୟ ବନ୍ୟା ଗତ ଜୁଲାଇ ୨୮ ତାରିଖ କାଣୀ ନଦୀର ଡୋଭାବିଲ ପାଟଣା ଠାରେ ୨ ଘାଇ ଏବଂ ବୈତରଣୀ ଘେରି ବନ୍ଧ ଜୟନ୍ତରାମହାପାତ୍ର ସାହି ଠାରେ ଘାଇ ହୋଇଥିଲା। ତୃତୀୟ ବନ୍ୟା ଅଗଷ୍ଟ ୮ ତାରିଖ ବନ୍ୟା ଆସିବା ଫଳରେ ମରାମତି ଘାଇ ପୁଣି ଭାଙ୍ଗିଥିଲା । ଗତ ଅଗଷ୍ଟ ୧୪ ତାରିଖ ଚତୁର୍ଥ ବନ୍ୟା ଏବଂ ପଞ୍ଚମ ବନ୍ୟା ଆସିଛି ଅଗଷ୍ଟ ୨୩ ତାରିଖରେ ।
ପଞ୍ଚମ ବନ୍ୟାରେ ଜୟନ୍ତରା ମହାପାତ୍ରସାହି ଘେରି ବନ୍ଧ ଅନ୍ୟ ଏକ ସ୍ଥାନରେ ପ୍ରାୟ ୧୦୦ ଫୁଟର ମୁକୁଳା ଘାଇ ଦେଇ ମହାପାତ୍ର ସାହିକୁ ବନ୍ୟା ଜଳ ପ୍ରବେଶ କରୁଛି । ବାରମ୍ବର ଲଗୁଚାପ ବର୍ଷା ହେବା ଫଳରେ ବନ୍ୟା ଆସି ତାଣ୍ଡବ ରଚି ଚାଲିଥିବାରୁ ଶହ ଶହ ପରିବାର ପ୍ରାୟ ୨୫ ଦିନ ହେବ ଘରକୁ ଫେରି ପାରିନାହାନ୍ତି ।