୩୦ ହଜାର ଟପିଲା ସିମ୍ପଲ୍‌ ଓ୍ବାନ୍‌ର ପ୍ରି ବୁକିଂ, ସିଙ୍ଗଲ୍‌ ଚାର୍ଜରେ ଦୌଡ଼ିବ ୨୩୬ କି.ମି.

ନୂଆଦିଲ୍ଲୀ : ଭାରତରେ ପେଟ୍ରୋଲ-ଡିଜେଲ୍‌ ଦାମ ବଢ଼ୁଥିବା ବେଳେ ଇଲେକ୍ଟ୍ରିକ୍‌ ଗାଡ଼ିର ଚାହିଦା ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି କମ୍ପାନୀ ମଧ୍ୟ ବ୍ୟାଟେରୀ ଚାଳିତ ଗାଡ଼ି ବଜାରକୁ ଆଣୁଛନ୍ତି । ସେହିଭଳି ସିମ୍ପଲ୍‌ ଏନର୍ଜୀର ଇଲେକ୍ଟ୍ରିକ୍‌ ସ୍କୁଟର ସିମ୍ପଲ୍‌ ଓ୍ବାନ ମଧ୍ୟ ଧୁମ୍‌ ମଚାଇବାକୁ ଆସୁଛି। ଏବେ ସୁଦ୍ଧା ସିମ୍ପଲ୍‌ ଓ୍ବାନ୍‌ର ୩୦୦୦୦ ପ୍ରି ବୁକିଂ ହୋଇସାରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

କମ୍ପାନୀର ଓ୍ବେବସାଇଟ୍‌ରେ ୧୯୪୭ ଟଙ୍କାରେ ସ୍କୁଟର ପାଇଁ ପ୍ରି ବୁକିଂ ମଧ୍ୟ ହେଉଛି। କିନ୍ତୁ ସିମ୍ପଲ୍‌ ଓ୍ବାନ କିଣିବାର ଫାଇଦା ମଧ୍ୟ ଅନେକ ରହିଛି। ବିଶେଷ କରି ସିଙ୍ଗଲ ଚାର୍ଜରେ ସିମ୍ପଲ ଓ୍ବାନ ୨୩୬ କିମି ଯାଉଛି ବୋଲି କମ୍ପାନୀ ଦାବି କରିଛି। କମ୍ପାନୀର ପ୍ରଥମ ଉତ୍ପାଦ ଅଗଷ୍ଟ ୧୫ରେ ଲଞ୍ଚ ହୋଇଥିଲା। ଏହାର ଦାମ ରହିଛି ୧,୦୯,୯୯୯ ଟଙ୍କା (ଏକ୍ସ ସୋରୁମ୍‌ ମୂଲ୍ୟ)। ଡିସେମ୍ବର ସୁଦ୍ଧା ଏହି ସ୍କୁଟର ଅଧିକରୁ ଅଧିକ ଉତ୍ପାଦନ ହେବା ସହ ଡେଲିଭରି ଆରମ୍ଭ ହୋଇଯିବ ବୋଲି ସିମ୍ପଲ୍‌ ଏନର୍ଜି ପକ୍ଷରୁ କୁହାଯାଇଛି।

ସିମ୍ପଲ ଓ୍ବାନ୍‌ ୪.୮ kWh ବ୍ୟାଟେରୀ ସହ ଉପଲବ୍ଧ ହେବାକୁ ଥିବା ବେଳେ ଏହି ବ୍ୟାଟେରୀର ଓଜନ ୭ କେଜି। ଇକୋନୋମି ମୋଡ୍‌ରେ ୨୦୩ କିମି ଏବଂ ଆଦର୍ଶ ପରିସ୍ଥିତିରେ ୨୩୬ କିମି ମାଇଲେଜ୍‌ ଦେବ ସିମ୍ପଲ୍‌ ଓ୍ବାନ। ୦-୫୦ କିମି ସ୍ପିଡ୍‌ ଧରିବାକୁ ଏହାକୁ କେବଳ ୩.୬ ସେକେଣ୍ଡ ଲାଗିବ ବୋଲି କମ୍ପାନୀ ଦାବି କରିଛି।  ୪ଟି ରଙ୍ଗରେ ବଜାରରେ ଉପଲବ୍ଧ ହେବାକୁ ଥିବା ସିମ୍ପଲ୍‌ ଓ୍ବାନରେ ମିଡ ଡ୍ରାଇଭ୍‌ ମୋଟର, ଟଚ ସ୍କ୍ରିନ୍‌ ଭଳି ସ୍ମାର୍ଟ ସୁବିଧା ରହିଛି। ଏଥିରେ ବ୍ଲଟୁଥ ଏବଂ ୪ଜି କନେକ୍ଟିଭିଟି ତା ସାଙ୍ଗକୁ ଫାଷ୍ଟ ଚାର୍ଜର ପାଇଁ ସ୍ଥାନ ମଧ୍ୟ ରହିଛି ।

Related Posts