କଲେଜ ହୋଷ୍ଟେଲରେ ଜଣେ ଜୁନିୟର ଛାତ୍ରଙ୍କୁ ରାଙ୍ଗିଙ୍ଗ, ମାରପିଟ୍ ଅଭିଯୋଗରେ ୧୦ ଛାତ୍ର ସସପେଣ୍ଡ, ୫ ଗିରଫ

ହାଇଦ୍ରାବାଦ: କଲେଜ ହୋଷ୍ଟେଲରେ ଜଣେ ଜୁନିୟର ଛାତ୍ରଙ୍କୁ ରାଙ୍ଗିଙ୍ଗ, ମାରପିଟ୍ ଏବଂ ଧାର୍ମିକ ନାରା ଲଗାଇବା ପାଇଁ ବାଧ୍ୟ କରିବା ୧୦ ଛାତ୍ରଙ୍କୁ ପଡ଼ିଛି ମହଙ୍ଗା । ଏନେଇ କଲେଜ୍ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କଲେଜ୍‌ରୁ ବାସନ୍ଦ କରିଛି। ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି।

ପୋଲିସ ସସପେଣ୍ଡ ଛାତ୍ରଙ୍କ ମଧ୍ୟରୁ ୫ ଅଭିଯୁକ୍ତଙ୍କୁ ଗିରଫ କରି ମାମଲାର ତଦନ୍ତ କରୁଛି। ଏହି ଘଟଣା ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ଶଙ୍କରପଲ୍ଲୀ ଥାନା ଅନ୍ତର୍ଗତ ଏକ କଲେଜ୍‌ରେ ଘଟିଛି।

ଛାତ୍ରଙ୍କୁ ଆକ୍ରମଣ କରିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ସାଇବରାବାଦ ପୋଲିସ୍ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ ଅନୁଯାୟୀ ଘଟଣାର ୧୯ ବର୍ଷୀୟ ପୀଡିତ ବିବିଏ-ଏଲଏଲବି ପ୍ରଥମ ବର୍ଷର ଛାତ୍ର ଏବଂ ତାଙ୍କ ବ୍ୟାଚ୍‌ର ଜଣେ ଛାତ୍ରୀଙ୍କ ସହ ବିବାଦ ହୋଇଥିଲା। ଯୁବତୀ ଏବଂ ପୀଡିତ ଯୁବକ ଆରମ୍ଭରୁ ଦୁଇ ବନ୍ଧୁ ଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ସଂପର୍କ ଫାଟ ସୃଷ୍ଟି ହୋଇଥିଲା। କାରଣ ଉଭୟ ପରସ୍ପରକୁ ଅଶ୍ଳୀଳ ଟିପ୍ପଣୀ କରିଥିଲେ।

ଶଙ୍କରପଲ୍ଲୀ ପୋଲିସ କହିଛି, ପୀଡିତ ଯୁବକ କରିଥିବା ଟିପ୍ପଣୀ ଏକ ବିଶେଷ ଧର୍ମର ଅପମାନ ଥିଲା। ଯୁବତୀ ଉକ୍ତ ଟିପ୍ପଣୀ ବିଷୟରେ ନିଜର ସହପାଠୀଙ୍କୁ ଜଣାଇଥିଲେ। ଏହା ପରେ ପୀଡିତ ଯୁବକଙ୍କ ଉପରେ ଆକ୍ରମଣ ହୋଇଥିଲା। ତାଙ୍କୁ ରାଙ୍ଗିଙ୍ଗ କରାଯିବା ସହ ପୋଷାକ ଖୋଲାଯାଇଥିଲା। ଆକ୍ରମଣକାରୀ ପୀଡିତ ଯୁବକଙ୍କୁ ନିଜ ଇଚ୍ଛା ବିରୋଧରେ ଧାର୍ମିକ ନାରା ଲଗାଇବାକୁ ବାଧ୍ୟ କରିଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।

ଘଟଣାକୁ ନେଇ କଲେଜ୍ କର୍ତ୍ତୃପକ୍ଷ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଘଟଣାରେ ସମ୍ବନ୍ଧିତ ଛାତ୍ରଙ୍କୁ ତତ୍କାଳ ପ୍ରଭାବରୁ ନିଲମ୍ବିତ କରିବାକୁ ନିର୍ଣ୍ଣୟ ନେଇଛନ୍ତି। ଏମିତି କାମକୁ ବରଦାସ୍ତ କରାଯାଇ ପାରିବ ନାହିଁ ବୋଲି କଲେଜ୍ କର୍ତ୍ତୃପକ୍ଷ କହିଛନ୍ତି ।

Related Posts