ଆଜିଠୁ ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ ପ୍ରଥମବର୍ଷ ନାମଲେଖା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ (ସ୍ନାତକ) ପ୍ରଥମବର୍ଷ ନାମଲେଖା ପାଇଁ ଆବେଦନ ପକ୍ରିୟା । ଚଳିତବର୍ଷ ରାଜ୍ୟରେ ୨ ଲକ୍ଷ ୪୯ ହଜାର ୩୮୯ ସିଟ୍‌ରେ ନାମଲେଖା ହେବ । ସେଥିମଧ୍ୟରୁ ଯୁକ୍ତ ତିନି ପ୍ରଥମ ବର୍ଷ କଳାରେ ୧ଲକ୍ଷ ୩୯ହଜାର ୬୯୭ ସିଟ୍‌ ଥିବା ବେଳେ ଫିଜିକାଲ୍‌ ସାଇନ୍ସରେ ୪୨ ହଜାର ୧୫, ବାୟୋଲୋଜିକାଲ୍‌ ସାଇନ୍ସରେ ୨୬ହଜାର ୬୦୪, ବାଣିଜ୍ୟରେ ୩୦ ହଜାର ୭୦୭, ସେଲ୍ଫ ଫାଇନାନ୍ସରେ ୧ହଜାର ୬୬୬ ଓ ସଂସ୍କୃତରେ ୮ହଜାର ୭ଶହ ସିଟ୍‌ ରହିଛି । ନାମଲେଖା ଆବେଦନ ୨୫ ତାରିଖରେ ସରିବ ।

ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଚଳିତ ମାସ ୩୧ରେ ପ୍ରକାଶ ପାଇବ । ସେପ୍ଟେମ୍ବର ୨ରୁ ୫ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ୧୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ସେପ୍ଟେମ୍ବର ୧୨ରୁ ୧୪ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । ୧୬ ତାରିଖରେ ଖାଲି ଥିବା ସିଟ୍‌ ସମ୍ପର୍କରେ ତାଲିକା ଅପରାହ୍ଣ ୨ଟାରେ କଲେଜଗୁଡ଼ିକର ସାମ୍ସ ଇ-ସ୍ପେସ୍‌ରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ଏବର୍ଷ ନାମଲେଖା ସମୟରେ ପିଲାଙ୍କ ଠାରୁ ନାମଲେଖା ଫି’ ଆଦାୟ କରାଯିବ ନାହିଁ । ଫି’ ଦାଖଲ ପାଇଁ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଦିଆଯିବ । ନାମଲେଖା ପ୍ରକ୍ରିୟା ସରିବା ପରେ ଛାତ୍ରଛାତ୍ରୀ ନାମଲେଖା ଫି’ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଦାଖଲ କରିବେ ବୋଲି ବିଭାଗୀୟ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Related Posts