ଭଦ୍ରକ, (ସତ୍ୟପାଠବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଯାଇଛି ଭୟଙ୍କର ବନ୍ୟା। ତୁହାକୁ ତୁହା ଲଘୁଚାପ ଆସୁଥିବାବେଳେ ସୁଧୁରୁନି ବନ୍ୟା ସ୍ଥିତି। ବନ୍ୟା ଅଞ୍ଚଳରେ ଦେଖାଦେଇଛି ପିଇବା ପାଣିର ସମସ୍ୟା। ଖରସ୍ରୋତା, ବ୍ରାହ୍ମଣୀ, ଓ କାଣୀ ନଦୀରେ ବନ୍ୟା ଆସିବା ଫଳରେ ୩ଦିନ ହେଲା ପାଣିରେ ବୁଡି ରହିଛି ସବୁ ନଳକୂପ। ପିଇବା ପାଇଁ ପାଣି ପାଉନାହାନ୍ତି ଲୋକେ। ବିପଦ ସଙ୍କେତ ଉପରେ ସାଳନ୍ଦୀ, ବୈତରଣୀ। ଭଦ୍ରକ ରାଜଘାଟଠାରେ ସାଳନ୍ଦୀର ବିପଦ ସଙ୍କେତ ୧୭ ଫୁଟ ଥିବା ବେଳେ ବର୍ତ୍ତମାନ ୧୮.୧୦ ଫୁଟରେ ବନ୍ୟା ଜଳ ପ୍ରବାହିତ ହେଉଛି। ସେହିପରି ଆଖୁଆପଦାଠାରେ ବୈତରଣୀ ବିପଦ ସଙ୍କେତ ୧୮.୩୩ ମିଟର ଥିବାବେଳେ ଏବେ ୧୯.୨୫ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି। ଭଦ୍ରକ, ଧାମନଗର, ଭଣ୍ଡାରିପୋଖରୀ, ତିହିଡି, ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ଅନେକ ଗାଁ ପ୍ରଭାବିତ ହୋଇଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ୬ଟି ବ୍ଲକର ୨୬୮ଟି ବିଦ୍ୟାଳୟ ସହ ୫୬୭ଟି ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁରରେ ବନ୍ୟାପାଣି ଛାଡିବାର ନାଁ ଧରୁନି। ହଜାର ହଜାର ହେକ୍ଟର ଜମିରେ ଧାନ ଚାଷ, ପରିବା ଚାଷ ନଷ୍ଟ ହୋଇଛି। ଚାଷ ଜମିରେ ୮ ଫୁଟର ପାଣି ଚାଲୁଥିବା ବେଳେ ରାସ୍ତା ଉପରେ ୪ ଫୁଟର ବନ୍ୟା ପାଣି ପ୍ରବାହିତ ହେଉଛି। କେନ୍ଦ୍ରାପଡା ଜିଲ୍ଲା ବନ୍ୟା ଅଞ୍ଚଳରେ ପିଇବା ପାଣିର ସଙ୍କଟ। ପାଣିରେ ବୁଡ଼ି ରହିଛି ନଳକୂପ। ପାଣି ଟୋପାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବନ୍ୟା ବିପନ୍ନ। କେନ୍ଦ୍ରାପଡା ଜିଲ୍ଲା ଆଳିର ବନ୍ୟା ଅଞ୍ଚଳରେ ଦେଖାଦେଇଛି ପିଇବା ପାଣିର ସମସ୍ୟା। ଖରସ୍ରୋତା, ବ୍ରାହ୍ମଣୀ, ଓ କାଣୀ ନଦୀରେ ବନ୍ୟା ଆସିବା ଫଳରେ ୩ଦିନ ହେଲା ପାଣିରେ ବୁଡି ରହିଛି ସବୁ ନଳକୂପ। ପିଇବା ପାଇଁ ପାଣି ପାଉନାହାନ୍ତି ଲୋକେ। ଖୁବଶୀଘ୍ର ପିଇବା ପାଣି ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ବନ୍ୟା ବିପନ୍ନ। ବାଲେଶ୍ବର ଭୋଗରାଇ ଅଂଚଳ ଜଳମଗ୍ନ। ମନ୍ଦାରୁଣୀ ଗାଁର ୩ ହଜାରରୁ ଅଧିକ ଲୋକେ ପାଣି ଘେରରେ ରହିଛନ୍ତି। ପାଣି ଘେରରେ ଫସିଥିବା ଲୋକଙ୍କ ଲାଗି ମାଗଣା ଖାଦ୍ୟ ଯୋଗାଣ ବ୍ୟବସ୍ଥା କରାଯାଇଛି। ଏହାସହ ରିଲିଫ ବଣ୍ଟନ କରାଯାଇଛି। ଲୋକଙ୍କୁ ଚୁଡା ଓ ଗୁଡ଼ ବଣ୍ଟା ଯାଉଛି।
