ଭୋପାଳ, (ସତ୍ୟପାଠବ୍ୟୁରୋ): ମଧ୍ୟପ୍ରଦେଶରେ ବଡ଼ ଧରଣର ସଡକ ଦୁର୍ଘଟଣା। ଭିଣ୍ଡ ଜିଲ୍ଲାସ୍ଥିତ ୭୧୯ ନ୍ୟାସନାଲ ହାଇୱେର ଗୋହଦ ଚୌରାହା ଥାନା ଅଞ୍ଚଳର ଛିମକା ଗାଁ ନିକଟରେ ଏକ ଯାତ୍ରୀବାହୀ ଗାଡ଼ି ଟ୍ରକ୍ ସହିତ ଧକ୍କା ହେବାରୁ ଫଳରେ ୮ଜଣଙ୍କର ମୃତ୍ୟୁ ସମେତ ୨୫ ଜଣ ଆହତ ହୋଇଛନ୍ତି। ଏନେଇ ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଗୋହଦ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ବେଳେ ସେଠାରୁ ଗୁରୁତର ଆହତଙ୍କୁ ଗ୍ବାଲିୟରକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶୋକବ୍ୟକ୍ତ କରିବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହାସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରି ମୃତକଙ୍କ ପରିବାର ନିମନ୍ତେ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗ୍ୱାଲିୟର ଜିଲ୍ଲାର ଡାବ୍ରା ନିକଟସ୍ଥ ଚିନୋର ଗାଁରେ ଧାନ ବିଲରେ କାମ କରିବା ପରେ ଉତ୍ତର ପ୍ରଦେଶର ପଚଗୱାନ, ଲଖିମପୁର ଖେରି ଏବଂ ଆଖପାଖ ଗାଁର ଶ୍ରମିକମାନେ ଏକ ଗାଡ଼ିରେ ନିଜ ଗାଁକୁ ଫେରୁଥିଲେ। ସେହି ସମୟରେ ୭୧୯ ନ୍ୟାସନାଲ ହାଇୱେର ଛିମକା ଗାଁ ନିକଟରେ ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଏହାପରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରାଯାଇ ସମସ୍ତଙ୍କୁ ଗୋହଦ ହସ୍ପିଟାଲକୁ ପଠାଯାଇଥିଲା। ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ସେଠାରୁ ସେମାନଙ୍କୁ ଗ୍ବାଲିୟରକୁ ପଠାଯାଇଥିଲା। ସେହି ଯିବା ରାସ୍ତାରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ରାସ୍ତାରେ ଶୋଇଥିବା ଗାଈମାନଙ୍କୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ଦୁର୍ଘଟଣାର କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।
