ଢାକା,(ସତ୍ୟପାଠବ୍ୟୁରୋ) : ବାଂଲାଦେଶର ନୂଆ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର। ନିର୍ବାଚନରେ ତାଙ୍କୁ ଏବେ ସୁଦ୍ଧା ୨୫୫ଟି ଭୋଟ୍ ମିଳିଛି। ଅନ୍ୟପଟେ, ୧୧ଟି ଦଳର ମେଣ୍ଟ ପ୍ରାର୍ଥୀ ଓଲି ଅହମ୍ମଦଙ୍କୁ ମାତ୍ର ୮୮ଟି ଭୋଟ୍ ପ୍ରାପ୍ତ ହୋଇଛି। ସିଇସି ଏଏମଏମ ନାସିର ଉଦ୍ଦୀନ, ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀରଙ୍କୁ ବିଜେତା ଘୋଷଣା କରିଛନ୍ତି। ଦେଶର ୨୩ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆଜି ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ ହୋଇଥିଲା। ସଂସଦର ସଦସ୍ୟମାନେ ନିଜ ନିଜ ଆସନରୁ ମତଦାନ କରି ଥିଲେ। ମତଦାନ ପାଇଁ ପ୍ରଥମେ ବାଲଟ୍ ପେପର ପଛରେ ନିଜର ସମ୍ପୂର୍ଣ୍ଣ ନାମ ଲେଖାଯାଇ ଥିଲା ଏବଂ ପରେ ମୁଖ୍ୟ ବାଲଟ୍ ପେପରରେ ପସନ୍ଦର ପ୍ରାର୍ଥୀଙ୍କ ନାମ ଆଗରେ ନିର୍ଦ୍ଧାରିତ ସ୍ଥାନରେ ମଧ୍ୟ ନିଜ ନାମ ଉଲ୍ଲେଖ କରାଯାଇ ଥିଲା। କାର୍ଯ୍ୟକାରୀ ଅଧ୍ୟକ୍ଷ ହାଫିଜ୍ ଉଦ୍ଦୀନ ଅହମ୍ମଦ ଏବଂ କାର୍ଯ୍ୟକାରୀ ଅଧ୍ୟକ୍ଷ କୈସର କମାଲ ମଧ୍ୟ ସଂସଦ ସଦସ୍ୟ ଭାବେ ନିଜର ମତଦାନ କରି ଥିଲେ। ଦୁହିଁଙ୍କ ପାଇଁ ସଂସଦ ଗୃହରେ ଅଲଗା ଅଲଗା ଆସନର ବ୍ୟବସ୍ଥା କରାଯାଇ ଥିଲା। ନୂଆ ରାଷ୍ଟ୍ରପତି ଆସନ୍ତା କାଲି ଅର୍ଥାତ୍ ୨୧ ଅଗଷ୍ଟ ୨୦୨୬ରେ ଶପଥ ଗ୍ରହଣ ନେବେ।
ସାଂସଦ ତଥା ଗୃହ ମନ୍ତ୍ରୀ ସଲାହୁଦ୍ଦିନ ଅହମ୍ମଦ ରାଷ୍ଟ୍ରପତି ନିର୍ବାଚନରେ ନିଜର ଭୋଟ ଦେବା ପୂର୍ବରୁ କହିଥିଲେ ଯେ, ୩୫ ବର୍ଷ ପରେ ସମ୍ୱିଧାନ ଅନୁସାରେ ରାଷ୍ଟ୍ରପତି ନିର୍ବାଚନ ହେଉଛି,ଯେଉଁଥିରେ ସରକାର ଓ ବିରୋଧୀ ନେତାମାନଙ୍କର ପ୍ରାର୍ଥୀ ମୈଦାନରେ ଅଛନ୍ତି। ସେ କହିଛନ୍ତି ଯେ, ଅନେକ ଥର ରାଷ୍ଟ୍ରପତି ନିର୍ବାଚନ ବିନା କୌଣସି ପ୍ରତିଦ୍ୱନ୍ଦ୍ୱିତାରେ ଅନୁଷ୍ଠିତ ହୋଇଛି। କିନ୍ତୁ ଗଣତନ୍ତ୍ରରେ ନିର୍ବାଚନ ପ୍ରତିଯୋଗିତାମୂଳକ ହେବା ଉଚିତ। ସେ ଆଶା ପ୍ରକାଶ କରିଛନ୍ତି ଯେ, ଏହି ନିର୍ବାଚନ ମାଧ୍ୟମରେ ଦେଶର ଜନତା ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଦେଖିବେ ଓ ଏହା ଗଣତନ୍ତ୍ର ପାଇଁ ଏକ ନୂଆ ଅଧ୍ୟାୟ ଆରମ୍ଭ ସାବ୍ୟସ୍ତ ହେବ। ସେପଟେ ସଂସଦରେ ମୋଟ ୩୪୯ ଜଣ ସଦସ୍ୟ ଅଛନ୍ତି। ବିଏନପି ପାଖରେ ୨୪୭ ଥିବା ବେଳେ ଜମାତ ନେତୃତ୍ୱର ୧୧ଟି ଦଳର ଗଠବନ୍ଧନ ପାଖରେ ୯୦ ଜଣ ସଦସ୍ୟ ଅଛନ୍ତି। ଅନ୍ୟ ୧୨ ଜଣ ସଦସ୍ୟ ଏହି ଦୁଇ ବଡ଼ ଗୋଷ୍ଠୀର ବାହାରେ ଅଛନ୍ତି। ଏଥିମଧ୍ୟରୁ ତିନି ଜଣ ବିଏନପିର ସହଯୋଗୀ ଦଳର, ଜଣେ ଇସଲାମୀ ଆନ୍ଦୋଳନ ବାଂଲାଦେଶର ଏବଂ ଆଠ ଜଣ ସ୍ୱାଧୀନ । ସମୀକରଣରେ ମିର୍ଜା ଫକରୁଲଙ୍କ ବିଜୟ ପ୍ରାୟ ସୁନିଶ୍ଚିତ ମନେକରାଯାଉଛି, କିନ୍ତୁ ଏହି ୧୨ଟି ଭୋଟର ଆଭିମୁଖ୍ୟ ନିର୍ବାଚନର ସବୁଠାରୁ ରୋଚକ ହେବ।
