ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ‘ଶ୍ରୀ ସାଇବାବା ଟେମ୍ପଲ୍ ଟ୍ରଷ୍ଟ୍ ଅଫ୍ ଶିରିଡ଼ି’ ଉପରୁ ଗତ ୩ ବର୍ଷ ପାଇଁ ଆୟକର ବାବଦକୁ ଦେବାକୁ ଥିବା ୧୭୫ କୋଟି ଟଙ୍କା ଛାଡ଼ କରାଯାଇଥିବା କଥା ଶୁକ୍ରବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି। ସୁପ୍ରିମ୍ କୋର୍ଟଙ୍କ ଆଦେଶକ୍ରମେ ଆୟକର ଛାଡ଼ କରାଯାଇଥିବା କଥା ଆୟକର ବିଭାଗ ଜାରି କରିଥିବା ‘ରିଲିଜ୍’ରେ ଉଲ୍ଲେଖ ଅଛି।
ସେଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ୨୦୧୫-୧୬ ଆର୍ଥିକ ବର୍ଷର ଟିକସ ମୂଲ୍ୟାୟନ କରିବା ବେଳେ ଆୟକର ବିଭାଗ ଧରି ନେଇଥିଲା ଯେ, ‘ଶ୍ରୀ ସାଇବାବା ସଂସ୍ଥାନ’ ଅଧ୍ୟାତ୍ମିକ ଟ୍ରଷ୍ଟ୍ ନୁହେଁ, ଦାତବ୍ୟ ଟ୍ରଷ୍ଟ୍। ତେଣୁ, ଟ୍ରଷ୍ଟ୍ ହୁଣ୍ଡିରୁ କରିଥିବା ଆୟ ଉପରେ ୩୦% ଟିକସ ଲାଗୁ କରି ସେ ବାବଦକୁ ୧୮୩ କୋଟି ଟଙ୍କା ପୈଠ କରିବାକୁ ନୋଟିସ୍ ଜାରି କରିଥିଲେ।
ନୋଟିସ୍ ପାଇବା ପରେ ଟ୍ରଷ୍ଟ୍ ସୁପ୍ରିମ୍ କୋର୍ଟରେ ରିଟ୍ ପିଟିସନ୍ ଦାଏର କରିବାରୁ ‘ଟିକସ ନିର୍ଦ୍ଧାରଣ’ କରାଯିବା ପର୍ଯ୍ୟନ୍ତ ଆୟକର ବିଭାଗରେ ପୈଠ କରିବାକୁ ଥିବା ଦେୟ ଉପରେ ରହିତାଦେଶ ଜାରି କରିଥିଲେ।
‘ଶ୍ରୀ ସାଇବାବା ସଂସ୍ଥାନ’ ଏକ ଧାର୍ମିକ ଓ ଦାତବ୍ୟ ଟ୍ରଷ୍ଟ୍ ଭାବେ ସ୍ବୀକୃତି ଦେଇ ଶେଷରେ ଆୟକର ବିଭାଗ ହୁଣ୍ଡିରେ ଥିବା ଦାନ ଉପରେ ଲାଗୁ କରିଥିବା ଟିକସ ଛାଡ଼ କରିଛି। ଜାରି କରିଥିବା ‘ରିଲିଜ୍’ରେ ଆୟକର ବିଭାଗ ଲେଖିଛି ଯେ, ଏଥିପାଇଁ, ‘ଶ୍ରୀ ସାଇବାବା ସଂସ୍ଥାନ’ ଉପରେ ଗତ ତିନି ବର୍ଷ ପାଇଁ ଲାଗୁ ହୋଇଥିବା ୧୭୫ କୋଟି ଟଙ୍କା ଛାଡ଼ କରାଗଲା।
