ଏଣିକି ହାଇସ୍କୁଲରେ +୨ ପାଠପଢା; ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ୫୭ ହାଇସ୍କୁଲରେ ଆରମ୍ଭ ହେବ +୨ କଳା ପାଠ୍ୟକ୍ରମ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏଣିକି ହାଇସ୍କୁଲରେ ଆରମ୍ଭ ହେବ ଯୁକ୍ତ ଦୁଇ ପାଠ୍ୟକ୍ରମ । ଛାତ୍ରଛାତ୍ରୀମାନେ ନବମରୁ ଦ୍ୱାଦଶ ଯାଏ ଗୋଟିଏ ସ୍କୁଲରେ ପଢ଼ିବେ । ଏଥିପାଇଁ ରାଜ୍ୟର ୫୭ ହାଇସ୍କୁଲକୁ ଅପଗ୍ରେଡ୍‌ କରାଯିବ । ଏନେଇ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଛନ୍ତି । ଆସନ୍ତା ଶିକ୍ଷାବର୍ଷରୁ ଏହି ୫୭ ହାଇସ୍କୁଲରେ ପିଲାମାନେ ଯୁକ୍ତ ଦୁଇ ପଢ଼ିବେ ।କିନ୍ତୁ ବର୍ତ୍ତମାନ କେବଳ କଳା ପାଠ୍ୟକ୍ରମ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି । ବର୍ତ୍ତମାନ ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମ ପାଇଁ କୌଣସି ଯୋଜନା ହୋଇନାହିଁ । ହେଲେ ରାଜ୍ୟରେ ଏପର୍ଯ୍ୟନ୍ତ ସମସ୍ତ ହାଇସ୍କୁଲ ଓ ହାୟର ସେକେଣ୍ଡାରୀ ସ୍କୁଲ (ଯୁକ୍ତ ଦୁଇ)ରେ ଭିତ୍ତିଭୂମି ସୁଦୃଢ଼ ନୁହେଁ । ବିଭିନ୍ନ ବର୍ଗର ଯୁକ୍ତ ଦୁଇ କଲେଜରେ ୭୭୯ ଶିକ୍ଷକ ପଦବି ଖାଲି ପଡ଼ିଛି । ଆଉ ହାଇସ୍କୁଲରେ ତ ଜଣେ ଜଣେ ଶିକ୍ଷକ ୨ରୁ ୩ଟି ବିଷୟରେ ଶିକ୍ଷାଦାନ ଦେଉଛନ୍ତି ।

ଜାତୀୟ ଶିକ୍ଷାନୀତି ଅନୁସାରେ ହାଇସ୍କୁଲରେ ଯୁକ୍ତ ଦୁଇ ଶିକ୍ଷାଦାନ ଆରମ୍ଭ ହେବାର ବ୍ୟବସ୍ଥା ଅନୁସାରେ ରାଜ୍ୟରେ ୫୭ ସ୍କୁଲକୁ ଅପଗ୍ରେଡ୍‌ କରିବାକୁ କେନ୍ଦ୍ର ସରକାର ମଞ୍ଜୁର ଦେଇଛନ୍ତି । ଏହି ହିସାବରେ ଚଳିତ ୨୦୨୨-୨୩ ଶିକ୍ଷାବର୍ଷରେ ସ୍କୁଲକୁ ଅପଗ୍ରେଡ୍‌ କରାଯାଉଛି । ଏଥିପାଇଁ କେନ୍ଦ୍ର ସରକାର ପ୍ରତି ସ୍କୁଲକୁ ୯୧ ଲକ୍ଷ ଟଙ୍କା ଭିତ୍ତିଭୂମିର ବିକାଶ କରିବାକୁ ପ୍ରଦାନ କରିଛନ୍ତି । ଏହା ମଧ୍ୟରେ ବଲାଙ୍ଗିରର ୬, ଦେବଗଡ଼ର ୪, ଗଞ୍ଜାମର ୮, ଜଗତସିଂହପୁରର ୧, କଳାହାଣ୍ଡିର ୭, କନ୍ଧମାଳର ୨, କେନ୍ଦୁଝରର ୩, ମାଲକାନଗିରିର ୫, ମୟୂରଭଞ୍ଜର ୧, ନବରଙ୍ଗପୁରର ୫, ନୟାଗଡ଼ର ୧, ନୂଆପଡ଼ାର ୪, ସମ୍ବଲପୁରର ୪ ଓ ସୁନ୍ଦରଗଡ଼ର ୬ ହାଇସ୍କୁଲକୁ ଅପଗ୍ରେଡ୍‌ କରାଯିବାକୁ ଚିହ୍ନଟ କରାଯାଇଛି । ଏହି ସବୁ ହାଇସ୍କୁଲରେ ଭିତ୍ତିଭୂମିର ବିକାଶ ହେବ । ଏଠାରେ ନବମ ଦଶମ ସହ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ଆରମ୍ଭ ହେବ ।

ସ୍କୁଲଗୁଡିକୁ ଅପଗ୍ରେଡ୍‌ କରାଯିବ, ହେଲେ ରାଜ୍ୟର ଅନେକ ସ୍କୁଲରେ ଆବଶ୍ୟକ ଅନୁସାରେ ଶିକ୍ଷକ ନାହାନ୍ତି । ପ୍ରତି ବିଷୟକୁ ପଢ଼ାଇବାକୁ ଶିକ୍ଷକ ଅଭାବ । ଜଣେ ଶିକ୍ଷକ ୨-୩ ଟି ବିଷୟ ପଢ଼ାଉଛନ୍ତି । ରାଜ୍ୟରେ ଥିବା ହାଇସ୍କୁଲ ମଧ୍ୟରୁ ୧୭୨୮ ହାଇସ୍କୁଲରେ ଏପର୍ଯ୍ୟନ୍ତ ପ୍ରଧାନ ଶିକ୍ଷକ ନିଯୁକ୍ତି ହୋଇପାରିଲେ ନାହିଁ । ଭାରପ୍ରାପ୍ତ ଶିକ୍ଷକଙ୍କ ଦାୟିତ୍ୱରେ ହାଇସ୍କୁଲ ଚାଲିଛି । ସେହିଭଳି ରାଜ୍ୟରେ ଥିବା ବିଭିନ୍ନ ଉଚ୍ଚ ମାଧ୍ୟମିକ ହାଇସ୍କୁଲ (ଏଚ୍‌ଏସ୍‌ଏସ୍‌)ରେ ୭୭୯ ଶିକ୍ଷକ ପଦବି ଖାଲି ପଡ଼ିଛି ।

ସରକାରୀ ଏଚ୍‌ଏସ୍‌ଏସ୍‌ରେ ୧୭୪ ପଦବି ଖାଲିଥିବାବେଳେ ୪୮୮ ବର୍ଗ ଏଚ୍‌ଏସ୍‌ଏସ୍‌ରେ ୫୫୫ ଶିକ୍ଷକ ପଦବି ଫାଙ୍କା । ସେହିଭଳି ୬୬୨ ବର୍ଗ ଏଚ୍‌ଏସ୍‌ଏସ୍‌ରେ ୫୦ ଜଣ ଅଧ୍ୟାପକ ନାହାନ୍ତି । ଅତିଥି ଅଧ୍ୟାପକ ନଚେତ୍‌ ୨-୩ ଅଧ୍ୟାପକଙ୍କୁ ନେଇ ଏହି ସବୁ ଏଚ୍‌ଏସ୍‌ଏସ୍‌ ଚାଲିଛି । ତେଣୁ ହାଇସ୍କୁଲ ଅପଗ୍ରେଡ୍‌ ହେବା ପରେ କେବଳ ଭିତ୍ତିଭୂମିର ବିକାଶ କରିଦେଲେ ହେବନାହିଁ, ଏହି ସବୁ ସ୍କୁଲରେ ଆବଶ୍ୟକ ଅନୁସାରେ ଶିକ୍ଷକ ରହିବା ଦରକାର । ନଚେତ୍‌ ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇପାରିବେ ନାହିଁ ବୋଲି ଶିକ୍ଷାବିତ୍‌ମାନେ ମତ ରଖିଛନ୍ତି ।

Related Posts