ବିଜେପିରେ ମିଶିଲେ ସୋର ବିଧାୟକ ପର୍ଶୁରାମ ଧଡା

ଭୁବନେଶ୍ୱର,୨୬/୪(ସତ୍ୟପାଠ ବ୍ୟୁରୋ):  ବିଜେପିରେ ମିଶିଲେ ସୋର ବିଧାୟକ ପର୍ଶୁରାମ ଧଡା। ବିଜେଡି ଟିକେଟରୁ ବଞ୍ଚିତ ହେବା ପରେ ଦଳ ଛାଡିଥିଲେ ପର୍ଶୁରାମ । କିନ୍ତୁ କୌଣସି ଦଳରେ ଯୋଗ ଦେଇନଥିଲେ । ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଓ ବିଜେପି ସହ-ପ୍ରଭାରୀ ଲତା ଉସେଣ୍ଡିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ପର୍ଶୁରାମ। ଏହାସହ ପର୍ଶୁରାମଙ୍କର ଘରବାହୁଡା ହୋଇଛି ବୋଲି କହିଛନ୍ତି ମନମୋହନ ।

ଅନ୍ୟପଟେ ବିଜେପିରେ ସାମିଲ ହେବା ପରେ ପର୍ଶୁରାମ ଧଡା କହିଛନ୍ତି, ବିଜେପିକୁ ଧନ୍ୟବାଦ । ଦୀର୍ଘ ୧୦ ବର୍ଷ ପରେ ପୁଣିଥରେ ଘରକୁ ଫେରିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ । ବିଜେପିରୁ ମୋର ରାଜନୈତିକ କ୍ୟାରିୟର ଆରମ୍ଭ । ୨୦୦୯ରେ ନିର୍ବାଚନ ଲଢି ଅଳ୍ପ ଭୋଟରେ ପରାଜିତ ହୋଇଥିଲି । ପରେ ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରୁ ବିଧାୟକ ହୋଇଥିଲି । କିନ୍ତୁ ଏବେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛି । ଦଳ ଯାହା ଦାୟିତ୍ୱ ଦେବ ତାହାକୁ ସୂଚାରୁ ରୂପେ ତୁଲାଇବି । ଦଳର ଶୃଙ୍ଖଳିତ ସଦସ୍ୟ ଭାବେ କାମ କରିବି । ଦଳ ଯାହା ନିଷ୍ପତ୍ତି ନେବ ତାହାକୁ ମୁଁ ଗ୍ରହଣ କରିବି ।

ଗୋଟିଏ ପଟେ ପର୍ଶୁରାମ ଧଡା ବିଜେପିରେ ସାମିଲ ହୋଇଥିବା ବେଳେ ଅନ୍ୟପଟେ ସୋର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛି ବିଜେପି । ସୋରରୁ ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରିଛି ଦଳ । ଏଭଳି ସ୍ଥିତିରେ ପର୍ଶୁରାମଙ୍କ ଆଗାମୀ ରାଜନୈତିକ ଭବିଷ୍ୟତ କଣ ହେବ ତାହା ଉପରେ ସମସ୍ତଙ୍କର ନଜର ରହିବ ।

Related Posts