ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ୨୦ ସାଂସଦଙ୍କର ଗାନ୍ଧୀ ମୂର୍ତ୍ତୀ ତଳେ ୫୦ ଘଣ୍ଟିଆ ଅନଶନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ୨୦ ବିରୋଧୀ ସାଂସଦ ଆଜି ସଂସଦ ଭବନ ପରିସରରେ ୫୦ ଘଣ୍ଟିଆ ରିଲେ ଅନଶନ ଆରମ୍ଭ କରିଛନ୍ତି। ଗୃହକାର୍ଯ୍ୟରେ ଲଗାତାର ବାଧା ସୃଷ୍ଟି କରିବାରୁ ଏବଂ ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭାରୁ ମଙ୍ଗଳବାର ୧୯ ଜଣ ବିରୋଧୀ ସାଂସଦ ନିଲମ୍ବିତ ହୋଇଥିଲେ ଏବଂ ବୁଧବାର ଆପ୍‌ ସାଂସଦ ସଂଜୟ ସିଂହ ମଧ୍ୟ ବିଶୃଙ୍ଖଳା ଆଚରଣ ପାଇଁ ଗୃହରୁ ନିଲମ୍ବିତ ହୋଇଛନ୍ତି। ରାଜ୍ୟସଭାର ଏହି ମୋଟ ୨୦ ଜଣ ସାଂସଦଙ୍କ ମଧ୍ୟରୁ ଟିଏମ୍‌ସିର ୭, ଡିଏମ୍‌କେରୁ ୬, ଟିଆରଏସ୍‌ରୁ ୩, ସିପିଆଇଏମରୁ ୨, ସିପିଆଇ ଏବଂ ଆପ୍‌ରୁ ଜଣେ ଲେଖାଏଁ ସାଂସଦ ନିଲମ୍ବିତ ହୋଇଛନ୍ତି।

ତେବେ ନିଲମ୍ବନ ସମ୍ପର୍କରେ ନିଲମ୍ବିତ ସାଂସଦ ସୁସ୍ମିତା ଦେବ କହିଛନ୍ତି, ସେମାନେ ସଂସଦ ଭବନ ପରିସରରେ ହିଁ ରହିବେ ଏବଂ ଦରବୃଦ୍ଧି ପ୍ରସଙ୍ଗରେ ଆଲୋଚନା ନହେବା ପର୍ଯ୍ୟନ୍ତ ସେମାନେ ସରକାରଙ୍କୁ ଶାନ୍ତିରେ ରଖାଇ ଦେବେନି। ଏଥି ସହିତ ଆଗାମୀ ୫୦ ଘଣ୍ଟା ପାଇଁ ସଂସଦ ପରିସରରେ ଅନଶନ ରେ ବସିବେ। ଏହି କ୍ରମରେ ସଂସଦ ଭବନ ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ସାଂସଦମାନେ ସେମାନଙ୍କ ରିଲେ ଅନଶନ ଆରମ୍ଭ କରିଛନ୍ତି ଏବଂ ସାରା ରାତି ସେମାନେ ସେଠାରେ ରହିବେ ବୋଲି ଟିଏମ୍‌ସି ସାଂସଦ ଡୋଲା ସେନ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ସୋମବାର ଦିନ ବିଶୃଙ୍ଖଳ ଆଚରଣ ପାଇଁ ଲୋକସଭାରୁ ମଧ୍ୟ ୪ ସାଂସଦ ନିଲମ୍ବିତ ହୋଇଥିଲେ।

Related Posts