ବାରିପଦା,୦୫/୧୦: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ମୟୂରଭଞ୍ଜ ବେତନଟୀ ପୂର୍ତ୍ତ ବିଭାଗ ଏସଡିଓ, ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟୀ ପୂର୍ତ୍ତ ବିଭାଗ (R&B) ସବ୍-ଡିଭିଜନର ଏସଡିଓ ଅରବିନ୍ଦ ମହାନ୍ତି। ଆଜି ସକାଳୁ ଏକକାଳୀନ ମୟୂରଭଞ୍ଜ ଓ ବାଲେଶ୍ଵର, ଭୁବନେଶ୍ବର ସମେତ ପ୍ରାୟ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଜୋରଦାର ଚଢ଼ାଉ ଜାରି ରହିଛି।
ଏହି ମିଳିତ ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ୪ ଜଣ ଡିଏସପି ଏବଂ ୮ ଜଣ ଇନ୍ସପେକ୍ଟରଙ୍କ ସମେତ ବହୁ ସଂଖ୍ୟକ ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ସାମିଲ ଅଛନ୍ତି। ସୂଚନା ଅନୁଯାୟୀ, ଶ୍ରୀ ମହାନ୍ତିଙ୍କ ମୁଖ୍ୟ ବାସଭବନ ବାଲେଶ୍ଵରର ଅଙ୍ଗାରଗାଡ଼ିଆ ଅଞ୍ଚଳରେ ଥିବା ବେଳେ, ଭୁବନେଶ୍ୱର ସ୍ଥିତ କୋଠା, ପୈତୃକ ଘର ତଥା ବେତନଟୀ କାର୍ଯ୍ୟାଳୟ ସମେତ ବିଭିନ୍ନ ଠିକଣାରେ ଏହି ତଲାସୀ ଅଭିଯାନ ଚାଲୁ ରହିଛି। ସେ ବିଗତ ଦୁଇ ବର୍ଷରୁ ଅଧିକ ସମୟ ଧରି ବେତନଟୀରେ କାର୍ଯ୍ୟରତ ଥିବା ବେଳେ ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଖୋଳତାଡ଼ ଜାରି ରହିଛି। ଚଢ଼ାଉ ଶେଷ ହେବା ପରେ ମୋଟ ସମ୍ପତ୍ତିର ଆକଳନ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ ବୋଲି ଜଣାପଡ଼ିଛି।
