ମୌସୁମୀ ଅଧିବେଶନ ସମୟରେ ସଂସଦ ବାହାରେ ପ୍ରତିଦିନ ବିକ୍ଷୋଭ କରିବେ ୨୦୦ ଚାଷୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ତିନି ବିବାଦୀୟ କୃଷି ଆଇନ ବିରୋଧରେ ଦୀର୍ଘ ଦିନ ଧରି ଆନ୍ଦୋଳନ କରି ଆସୁଥିବା କୃଷକ ମାନେ ଏବେ ସଂସଦ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ। ରବିବାର ସଂଯୁକ୍ତ କିଷାନ ମୋର୍ଚ୍ଚା ଘୋଷଣା କରିଛି ଯେ ପ୍ରାୟ ୨୦୦ରୁ ଅଧିକ ଚାଷୀ ମୌସୁମୀ ଅଧିବେଶନ ବେଳେ ପ୍ରତିଦିନ ସଂସଦ ସମ୍ମୁଖରେ ବିକ୍ଷେୋଭ ପ୍ରଦର୍ଶନ କରିବେ। ଜୁଲାଇ ୧୯ରୁ ମୌସୁମୀ ଅଧିବେଶନ ବସିବାକୁ ଯାଉଥିବା ବେଳେ ଚାଷୀ ଆନ୍ଦୋଳନକୁ ଜୋରଦାର କରିବାକୁ ଯାଇ ଦିଲ୍ଲୀ ସୀମାରେ ବସିଥିବା ଚାଷୀ ଏବେ ସଂସଦ ବାହାରେ ଧାରଣା ଦେବାକୁ ଯୋଜନା କରିଛନ୍ତି। ଏଭଳି ହେଲେ କେନ୍ଦ୍ର ସରକାର ଉପରେ ଚାପ ପ୍ରୟୋଗ କରିହେବ ବୋଲି ରାକେଶ ଟିକାୟତ ନେତୃତ୍ୱାଧୀନ ଚାଷୀ ସଂଗଠନ ଚିନ୍ତା କରିଛି। ଜୁଲାଇ 22 ରୁ ପ୍ରତ୍ୟେକ ସଂଗଠନର ପାଞ୍ଚ ଜଣ ସଦସ୍ୟ ଏବଂ ଦୈନିକ ଅତି କମରେ ୨୦୦ ଜଣ ଆନ୍ଦୋଳନକାରୀ ମୌସୁମୀ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ପ୍ରତିଦିନ ସଂସଦ ବାହାରେ ବିରୋଧ କରିବେ। ଏପଟେ ପଞ୍ଜାବରେ ଦେଖାଦେଇଥିବା ବିଜୁଳି ସଙ୍କଟକୁ ନେଇ ଚାଷୀ ୟୁନିଅନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଆବାସ ଘେରାଉ କରିବା ପାଇଁ ଚେତାବନୀ ଦେଇଥିଲେ। କିନ୍ତୁ ଏହି ସମସ୍ୟାର ସମାଧାନ ହେବାରୁ ବର୍ତ୍ତମାନ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି। ସେହିପରି ଡିଜେଲ ଏବଂ ରନ୍ଧନ ଗ୍ୟାସ୍ ଭଳି ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ବିରୋଧରେ ଜୁଲାଇ ୮ ରେ ସକାଳ ୧୦ ଟାରୁ ୧୨ ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ବିରୋଧ କରାଯିବ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ପୀୟୁଷ ଗୋୟଲ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚାର ପ୍ରତିନିଧି ମାନଙ୍କ ମଧ୍ୟରେ ୧୧ ରାଉଣ୍ଡ ଆଲୋଚନା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ।ନିକଟରେ ଚାଷୀ ସଂଗଠନ ସରକାରଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲା। ହେଲେ ସରକାର କହିଥିଲେ ଆଇନ୍ ରଦ୍ଦ ହେବନି। ଯଦି କୌଣସି ଧାରରେ ପରିବର୍ତ୍ତନ ପାଇଁ ଆବଶ୍ୟକ ଯୁକ୍ତି ରୁହେ ତାହେଲେ ସରକାର ସଂଶୋଧନ କରିପାରନ୍ତି। ଏପଟେ ଚାଷୀ ନେତା ବଲବୀର ସିଂ ରାଜେଓ୍ୱାଲା କହିଛନ୍ତି ଯେ , “ଆମେ ବିରୋଧୀ ସାଂସଦମାନଙ୍କୁ ମଧ୍ୟ ପ୍ରତିଦିନ ଗୃହ ଭିତରେ ଏହି ପ୍ରସଙ୍ଗ ଉଠାଇବାକୁ ନିବେଦନ କରିବୁ। ଆମକୁ ପଦଯାତ୍ରାର ସୁବିଧା ଦେବାକୁ ଅନୁମତି ମିଳିନି। ତେଣୁ ଆମେ ଏହାକୁ ନେଇ ବିରୋଧ କରିବୁ। ଯେପର୍ଯ୍ୟନ୍ତ ସରକାର ତିନି କୃଷି ଆଇନକୁ ରଦ୍ଦ କରି ନାହାନ୍ତି ସେ ପର୍ଯ୍ୟନ୍ତ ଆମେ ସଂସଦର ଅଧିବେଶନ ବନ୍ଦ କରିବାକୁ ଦେବୁ ନାହିଁ। “

Related Posts