୮୩ ବର୍ଷୀୟ ଫାଦର୍‌ ଷ୍ଟାନ୍‌ ସ୍ବାମୀଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ମହାରାଷ୍ଟ୍ର ସରକାରଙ୍କୁ ନୋଟିସ୍ ଜାରି କଲେ NHRC

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଏଲ୍‌ଗାର ପରିଷଦ-ଭୀମା କୋରେଗାଁ ହିଂସା ମାମଲାରେ ଜେଲରେ ଥିବା ୮୩ ବର୍ଷୀୟ ଫାଦର ଷ୍ଟାନ୍‌ ସ୍ବାମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଅଭିଯୋଗରେ NHRC ମହାରାଷ୍ଟ୍ର ସରକାରଙ୍କୁ ନୋଟିସ୍ ଜାରି କରିଛି। ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପଠାଯାଇଥିବା ଏହି ନୋଟିସ୍ ରେ ଜାତୀୟ ମାନବ ଅଧିକାର ଆୟୋଗ (NHRC) ସ୍ବାମୀଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଚିନ୍ତା ପ୍ରକଟ କରିବା ସହ ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକୁ ଦୃଷ୍ଟିରେ ରଖି NHRC ପକ୍ଷରୁ ଫାଦର ଷ୍ଟାନ୍‌ ସ୍ବାମୀଙ୍କ ମେଡିକାଲ ରିପୋର୍ଟ ମଧ୍ୟ ମଗାଯାଇଛି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସ୍ବାମୀଙ୍କୁ ପର୍ଯ୍ୟାପ୍ତ ଚିକିତ୍ସା ସେବା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ଆୟୋଗଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ଏବଂ ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। ଏହାପୂର୍ବରୁ, NHRC ନିକଟରେ ମେ ୧୬ ରେ ଅଭିଯୋଗ ଆସିଥିଲା ​​ଯେ କୋଭିଡ -19 ଅବଧି ମଧ୍ୟରେ ସ୍ବାମୀଙ୍କୁ ଚିକିତ୍ସା ସୁବିଧାରୁ ବଞ୍ଚିତ କରାଯାଉଥିଲା । ଅଭିଯୋଗରେ ଦର୍ଶାଯାଇଛି ଯେ ତାଙ୍କୁ ଏପର୍ଯ୍ୟନ୍ତ ଟୀକାକରଣ କରାଯାଇ ନାହିଁ ଏବଂ ଜେଲ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ସେବା ବ୍ୟବସ୍ଥା ମଧ୍ୟ ନାହିଁ। ଆବେଦନକାରୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଅଧିକାଂଶ ଜେଲ କର୍ମଚାରୀ କୋଭିଡ ପଜିଟିଭ ଚିହ୍ନଟ ହେଉଛନ୍ତି। କିନ୍ତୁ ସ୍ବାମୀ ରହୁଥିବା ଜେଲରେ କୌଣସି RT-PCR ପରୀକ୍ଷା କରାଯାଇ ନଥିଲା। ସୂଚନାଯୋଗ୍ୟ, ଗତ ୨୦୧୮ରେ ମହାରାଷ୍ଟ୍ରର କୋରେଗାଁ-ଭୀମାଠାରେ ହିଂସା ଘଟିଥିଲା। ଏହି ମାମଲାରେ ବହୁ ସାମାଜିକ କର୍ମୀ ଗିରଫ କରାଯାଇଥିବା ବେଳେ ଫାଦର ଷ୍ଟାନ୍‌ ସ୍ବାମୀଙ୍କୁ ମଧ୍ୟ ଏନ୍‌ଆଇଏ ଗିରଫ କରିଥିଲା । ଫାଦର ‌ଷ୍ଟାନ୍‌ ସ୍ବାମୀ ଝାଡ଼ଖଣ୍ଡର ଆଦିବାସୀଙ୍କ ପାଇଁ କାର୍ଯ୍ୟ କରୁଥିଲେ।

Related Posts